ଅହମଦାବାଦ: ହତ୍ୟା ମାମଲାରେ ଦୋଷୀ, ପାରୋଲ୍ରେ ଆସି ଗତ ୧୨ ବର୍ଷ ଧରି ଫେରାର୍ ଥିଲେ । ପରିଚୟ ବଦଳାଇ ବଲିଉଡ୍ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଦେଇଥିଲେ । କିନ୍ତୁ ଆଇନର ହାତରୁ ବଞ୍ଚିପାରିଲେ ନାହିଁ । ଗୁଜରାଟର ଅହମଦାବାଦ କ୍ରାଇମବ୍ରାଞ୍ଚ ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି, ଯିଏ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାରୋଲରେ ଆସି ଗତ ୧୨ ବର୍ଷ ଧରି ଫେରାର୍ ଥିଲେ । ଚଳଚ୍ଚିତ୍ର ଏବଂ ଟେଲିଭିଜନ ଧାରାବାହିକରେ ପ୍ରମୁଖ ଅଭିନେତାଙ୍କ ସହ ସ୍କ୍ରିନ୍ ସେୟାର କରିଥିବା ଦୋଷୀକୁ ଅହମଦାବାଦର ଘିକଣ୍ଟା ମେଟ୍ରୋ ଷ୍ଟେସନ ନିକଟରୁ ପୋଲିସ ଉଠାଇ ନେଇଥିଲା ।

ପୋଲିସର ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁ ହେମନ୍ତ ମୋଦୀ । ସେ ଅମିତାଭ ବଚ୍ଚନ, ଆମିର ଖାନ ଏବଂ ରଣବୀର ସିଂଙ୍କ ଭଳି ବଲିଉଡ୍ର ପ୍ରତିଷ୍ଠିତ କଳାକାରଙ୍କ ସହ ସହ-ଅଭିନେତା ଭାବେ ସ୍କ୍ରିନ୍ ସେୟାର୍ କରିଛନ୍ତି । ସେ 'ଥଗ୍ସ ଅଫ୍ ହିନ୍ଦୁସ୍ତାନ' ଏବଂ 'ଜୟେଶଭାଇ ଜୋରଦାର' ଭଳି ବଡ଼ ବଡ଼ ବ୍ୟାନରର ଚଳଚ୍ଚିତ୍ରରେ କାମ କରିବା ସହ ଅନେକ ୱେବ୍ ସିରିଜ୍ ଏବଂ ଗୁଜରାଟୀ ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ସେ ‘ୱାଗଲେ କି ଦୁନିଆ’ ଏବଂ ‘ମେରେ ସାଇ’ ଭଳି ଟେଲିଭିଜନ ଶୋ’ରେ ମଧ୍ୟ ଅଭିନୟ କରିଥିଲେ ଏବଂ ଯୁଗପୁରୁଷ ଏବଂ ଗାନ୍ଧୀ ବିରୁଦ୍ଧ ଗଡସେ ଭଳି ଥିଏଟର ଅଭିନୟ କରିଥିଲେ ।

ମାମଲାଟି କଣ ଥିଲା?

୨୦୦୫ ମସିହାରେ ଅହମଦାବାଦର ନରୋଡା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲାରେ ହେମନ୍ତ ମୋଦୀ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଅପରାଧ ପାଇଁ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡର ସଜା ଶୁଣାଇଥିଲେ ଏବଂ ସେ ଜେଲ୍ରେ ସଜା କାଟୁଥିଲେ । ୨୦୧୪ ମସିହାରେ ଗୁଜରାଟ ହାଇକୋର୍ଟ ତାଙ୍କୁ ୩୦ ଦିନ ପାଇଁ ପାରୋଲ୍ ମଞ୍ଜୁର କରିଥିଲେ । କିନ୍ତୁ ପାରୋଲ୍ ଅବଧି ଶେଷ ହେବା ପରେ ସେ ଆଉ ଜେଲ୍କୁ ଫେରି ନ ଥିଲେ ଏବଂ ସେବେଠାରୁ ଫେରାର୍ ହୋଇଯାଇଥିଲେ ।

ମୁମ୍ବାଇରେ ଆରମ୍ଭ କରିଥିଲା ନୂଆ ଜୀବନ

ଜେଲ୍ରୁ ଫେରାର୍ ହେବା ପରେ ସେ ମୁମ୍ବାଇ ପଳାଇଯାଇଥିଲେ ଏବଂ ନିଜର ଅସଲ ପରିଚୟ ଲୁଚାଇ ରଖିଥିଲେ । ସେଠାରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରି ଛୋଟମୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କଲେ । ଧୀରେ ଧୀରେ ସେ ବଲିଉଡ୍ର ବଡ଼ ବଡ଼ ଷ୍ଟାରମାନଙ୍କ ସହ ଚଳଚ୍ଚିତ୍ରରେ ସହ-ଅଭିନେତା ଭାବେ ସୁଯୋଗ ପାଇଲେ । ଗତ ୧୨ ବର୍ଷ ଧରି ସେଠାରେ ସଫଳତାର ସହ କାମ କରୁଥିଲେ ।

ଏମିତି ହେଲା ଗିରଫ

ଅହମଦାବାଦ କ୍ରାଇମବ୍ରାଞ୍ଚକୁ ଏକ ଗୁପ୍ତ ସୂଚନା ମିଳିଥିଲା ଯେ ଫେରାର୍ ଥିବା ଏହି ଦୋଷୀ ଜଣକ ନିଜ ପରିବାର ଲୋକଙ୍କୁ ଦେଖା କରିବା ପାଇଁ ଅହମଦାବାଦ ଆସୁଛନ୍ତି । ଏହି ସୂଚନା ଆଧାରରେ କ୍ରାଇମବ୍ରାଞ୍ଚ ଟିମ୍ ଜାଲ ବିଛାଇଥିଲେ ଏବଂ ସହରର 'ଘିକଣ୍ଟା' ମେଟ୍ରୋ ଷ୍ଟେସନ ନିକଟରୁ ତାଙ୍କୁ ଗିରଫ କରିଥିଲେ । ପୋଲିସ ତାଙ୍କୁ ଗିରଫ କରିବା ପରେ ପୁଣି ଜେଲ୍କୁ ପଠାଇବା ପାଇଁ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
Also Read:Cockroach Janta Partyର ପୋଲ୍ ଖୋଲିବ ‘ଓଗି ଜନତା ପାର୍ଟି’; ବଢ଼ିଲେ ଫଲୋୟର୍ସ