ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ୍ ଏବଂ ଏକ୍ସ (X) ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ 'କକରୋଚ୍ ଜନତା ପାର୍ଟି' (CJP) ନାମକ ଏକ ବ୍ୟଙ୍ଗାତ୍ମକ ପେଜ୍ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଫଲୋୟର୍ସ ଥିବା ଏହି ପେଜକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବର୍ତ୍ତମାନ ତାକୁ ଚ୍ୟାଲେଞ୍ଜ କରିବା ପାଇଁ 'ଓଗି ଜନତା ପାର୍ଟି' (OJP) ମୈଦାନକୁ ଓହ୍ଲାଇଛି। ଓଗି ଜନତା ପାର୍ଟି ସିଧାସଳଖ ଭାବେ CJP ର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଏବଂ ଏହା ପଛରେ ଏକ ପ୍ରମୁଖ ରାଜନୈତିକ ଦଳର ହାତ ଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି।

CJPର AAP ଲିଙ୍କ୍ ?

ଓଗି ଜନତା ପାର୍ଟି ଏବଂ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ (Abhijeet Dipke) ଙ୍କ ଉପରେ ବଡ଼ ଖୁଲାସା କରିଛନ୍ତି। ରିପୋର୍ଟ ଅନୁସାରେ, CJP ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୂର୍ବରୁ ଆମ୍ ଆଦମୀ ପାର୍ଟି (AAP) ର ଜଣେ ସକ୍ରିୟ ଆଇଟି ସେଲ୍ କର୍ମୀ ବା ସୋସିଆଲ ମିଡିଆ ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। ଅଭିଜିତ ବର୍ତ୍ତମାନ ଭାରତରେ ନରହି ଆମେରିକାରେ ରହୁଛନ୍ତି। ଆମେରିକାରେ ବସି ସେ ଏହି ପେଜ୍ ଚଲାଉଥିବାରୁ ଏହା ସାଧାରଣ ଲୋକଙ୍କର ଆନ୍ଦୋଳନ ନୁହେଁ, ବରଂ ଏହା ପଛରେ କୌଣସି ବଡ଼ ପ୍ରୋପାଗାଣ୍ଡା ବା ଏଜେଣ୍ଡା ରହିଛି ବୋଲି ଅଭିଯୋଗ ହେଉଛି।

ବିଜେପି ବିରୋଧୀ ପ୍ରୋପାଗଣ୍ଡା !

ନେଟିଜେନ୍ସ ଏବଂ ଓଗି ଜନତା ପାର୍ଟିର ଦାବି ଅନୁଯାୟୀ, କକରୋଚ୍ ଜନତା ପାର୍ଟି’ ନିଜକୁ ନିରପେକ୍ଷ ବୋଲି କହୁଥିଲେ ହେଁ, ଏହାର ଅଧିକାଂଶ ପୋଷ୍ଟ୍ ଭାରତର ଶାସକ ଦଳ ଭାରତୀୟ ଜନତା ପାର୍ଟି (BJP) ବିରୋଧରେ ଏକ ରଣନୀତି ଅନୁଯାୟୀ ପ୍ରସ୍ତୁତ କରାଯାଉଛି। ରାଜନୈତିକ ଫାଇଦା ପାଇଁ କାର୍ଟୁନ୍ ଚରିତ୍ରର ଆଢୁଆଳରେ ଏହି ବ୍ୟଙ୍ଗାତ୍ମକ ପ୍ରୋପାଗଣ୍ଡା ଚଳାଉଥିବା ନେଇ ପ୍ରଶ୍ନ ଉଠିଛି। ଏହି ବିବାଦ ମଧ୍ୟରେ ଓଗି ଜନତା ପାର୍ଟି ନିଜର ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ର ବାୟୋରେ ସିଧାସଳଖ CJP କୁ ଟାର୍ଗେଟ୍ କରି ଲେଖିଛି । ଆମେରିକା-ଆଧାରିତ 'CJP' ଭଳି ଆମକୁ କୌଣସି ରାଜନୈତିକ ଦଳର ସମର୍ଥନ ମିଳିନାହିଁ ଓଜେପି ଲେଖିଛି।

ଓଗି ଜନତା ପାର୍ଟିର ଏହି ସ୍ପଷ୍ଟ ଏବଂ ରୋଚକ ଆଭିମୁଖ୍ୟକୁ ସୋସିଆଲ ମିଡିଆରେ ବେଶ୍ ପସନ୍ଦ କରାଯାଉଛି। ମାତ୍ର କିଛି ଦିନ ମଧ୍ୟରେ, ଗୁରୁବାର ସୁଦ୍ଧା ଏହି ନୂତନ ଅକାଉଣ୍ଟ ୭,୦୦୦ ରୁ ଅଧିକ ଫଲୋୟର୍ସ ହାସଲ କରିସାରିଛି ଏବଂ ଏହାର ଲୋକପ୍ରିୟତା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ ଆଗାମୀ ଦିନରେ ଓଗି ଭର୍ସେସ୍ କକରୋଜ୍ ଲଢ଼େଇ ଆହୁରି ରୋଚକ ହେବ ବୋଲି କୁହାଯାଉଛି ।