ଭୁବନେଶ୍ବର: ମଙ୍ଗଳବାର ରାଜ୍ୟ କ୍ୟାବିନେଟର ୪୪ତମ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି।

ସେହିଭଳି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ବିଭାଗର ୧ଟି ପ୍ରସ୍ତାବକୁ ମିଶାଇ ମୋଟ ୭ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୫ ବର୍ଷ ପାଇଁ ବୃଦ୍ଧି

କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିପାଇଁ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ, ଏହା ଅଧୀନରେ ସରକାର ୪,୬୦୦ କିଲୋମିଟରର ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରଖିଛନ୍ତି।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ଗ୍ରାମ୍ୟ ଉନ୍ନୟନ ଅଧୀନସ୍ଥ ରାସ୍ତାର ଉନ୍ନତିକରଣ କରାଯିବ। ଏଥିପାଇଁ ୫,୭୫୦ କୋଟି ଟଙ୍କା ବ୍ୟୟ ବରାଦରେ ୧୭,୫୦୦ କିମି ରାସ୍ତା ନିର୍ମାଣ ହେବ। ଏହାସହ ଗ୍ରାମାଞ୍ଚଳର ଅସଂଯୁକ୍ତ ବସତି ଯାହା ଅନ୍ୟ କୌଣସି ଯୋଜନାରେ ସାମିଲ ହୋଇନି ସେଠାରେ ୪୬୦୭. ୨୧ କିଲୋମିଟର ଦୈର୍ଘ୍ୟର ନୂଆ ରାସ୍ତା ନିର୍ମାଣ ହେବ।

ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ବିଭାଗରୁ ହସ୍ତାନ୍ତରିତ ହୋଇଥିବା ରାସ୍ତା ଉନ୍ନତିକରଣ ପାଇଁ ହସ୍ତାନ୍ତରିତ ରାସ୍ତାର ଉନ୍ନତିକରଣ ଯୋଜନାକୁ ଅନୁମୋଦନ ମିଳିଛି। ଏଥିରେ ପାଞ୍ଚ ବର୍ଷରେ ୬୭୦୦ କୋଟି ଟଙ୍କା ବ୍ୟୟ ବରାଦରେ ୨୫, ୫୦୦ କିମି ନୂତନ ରାସ୍ତା ନିର୍ମାଣକୁ ଅନୁମୋଦନ ଓ ଚାଲିଥିବା ପ୍ରକଳ୍ପ ସାରିବା ପାଇଁ ଅନୁମୋଦନ ମିଳିଛି।

ତିଆରି ହେବ ୧୭୫୦ ନୂଆ ସେତୁ ବନ୍ଧ

ସେତୁ ବନ୍ଧନ ଯୋଜନା ଅଧୀନରେ ୧୪୧୭ଟି ଚାଲୁରହିଥିବା ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଓ ୧୭୫୦ଟି ନୂତନ ସେତୁ ନିର୍ମାଣ ପାଇଁ ୧୧, ୮୦୦ କୋଟି ଟଙ୍କାର ବ୍ୟୟ ବରାଦକୁ ମଞ୍ଜୁରୀ ଦିଆଯାଇଛି। ଏହାସହ ରାଜ୍ୟର ନଦୀ ଗର୍ଭ ଓ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷଣ କରି କରିବା ପାଇଁ ବ୍ରିଜ କମ୍ ଓୟାର ଯୋଜନା ଅଧୀନରେ ୫୦୮ଟି ନୂତନ ପ୍ରକଳ୍ପ ନିର୍ମାଣ ଓ ପୂର୍ବରୁ ଚାଲୁରହିଥିବା ୧୬୨ ପ୍ରକଳ୍ପ ସାରିବାକୁ କ୍ୟାବିନେଟର ଅନୁମୋଦନ ମିଳିଛି।

ରାଜ୍ୟ କୃଷି ନୀତି ଅଧୀନରେ ସବସିଡି

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହାର ଅବଧିକୁ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିପାଇଁ ୨୪୯୬.୪୦ କୋଟି ଟଙ୍କାର ବ୍ୟୟ ବରାଦକୁ ଅନୁମୋଦନ କରାଯାଇଛି। ଏହା ସହ ପାଞ୍ଚ ବର୍ଷରେ ୮୫୦୦ ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରକଳ୍ପ ନିର୍ମାଣ ହେବ।

ଏସବୁ ପ୍ରସ୍ତାବକୁ ମଧ୍ୟ ଅନୁମୋଦ

ନୂତନ କୃଷି ଓ ପଶୁ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ବଲାଙ୍ଗୀରରେ ୩ଟି ଉଠା ଜଳସେଚନ ପ୍ରକଳ୍ପକୁ ଅନୁମୋଦନ। ଏହାଦ୍ବାରା ୪୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନ ହେବ।