ନୂଆଦିଲ୍ଲୀ,୨୦|୦୧ :ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପରାସ୍ତ ହୋଇଛି ଭାରତ । କିନ୍ତୁ ଜବରଦସ୍ତ ଫର୍ମ ପ୍ରଦର୍ଶନ କରିଛନ୍ତି ବିରାଟ କୋହଲି । ତିନି ଟିକିଆ ସିରିଜରେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ବାହାରିଛି । ଯାହା ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି । ତେବେ ବିରାଟଙ୍କ ଦମଦାର ଇନିଂସକୁ ନେଇ ଭାଇ ବିକାଶ କୋହଲି ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକରଙ୍କୁ ଟାର୍ଗେଟ୍ କରିଛନ୍ତି ।

କିଛି ଦିନ ତଳେ ସଞ୍ଜୟ ବିରାଟଙ୍କ ଟେଷ୍ଟ୍ ଅବସରକୁ ନେଇ କଟାକ୍ଷ କରିଥିଲେ । ବିରାଟ ନିଜ ତ୍ରୁଟି ସୁଧାରିଲେନି । ଏହା ବଦଳରେ ଟେଷ୍ଟରୁ ଅବସର ନେଇଗଲେ । ଏବେ କେବଳ ସହଜ ଫର୍ମାଟରେ ଖେଳୁଥିବା ସେ କହିଥିଲେ । ଯାହାକୁ ନେଇ ବିକାଶ କହିଛନ୍ତି ଯେ, ସଞ୍ଜୟଙ୍କ ପାଖରେ କିଛି ପରାମର୍ଶ ଥିଲେ ପ୍ରଦାନ କରନ୍ତୁ । ସବୁଠୁ ସଜ ଫର୍ମାଟକୁ ନେଇ ମିଷ୍ଟର୍ ଏକ୍ସପର୍ଟ୍ ସଞ୍ଜୟଙ୍କ ପାଖରେ କିଛି ନା କିଛି କହିବାକୁ ଥିବ । ନିଜେ ସଞ୍ଜୟ କ୍ରିଜରେ ଥିବା ଦରକାର ଥିଲା ବୋଲି ବିକାଶ କହିଛନ୍ତି । ଏହାସହ କଥା କହିବା ସବୁଠୁ ସହଜ ବୋଲି ବିରାଟଙ୍କ ବଡ ଭାଇ କହିଛନ୍ତି ।

ଏହା ପ୍ରଥମ ଥର ପାଇଁ ନୁହେଁ, ଲଗାତାର ଭାବେ ସଞ୍ଜୟଙ୍କୁ ବିକାଶ ଟାର୍ଗେଟ୍ କରୁଛନ୍ତି । ଯେବେଠୁ ସଞ୍ଜୟ ବିରାଟ କୋହଲିଙ୍କୁ କଟାକ୍ଷ କରିଛନ୍ତି ସେବେଠୁ ତାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

ସୂଚନାଯୋଗ୍ୟ, ରବିବାର କୋହଲି ୧୦୮ବଲରୁ ୧୨୪ରନ୍ କରିଥିଲେ । ଭାରତ୩୩୭ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ବିରାଟଙ୍କ ବ୍ୟାଟରୁ ଶତକ ବାହାରିଥିଲା । ହେଲେ ଟପ୍ ଅର୍ଡର୍ ଫେଲ୍ କାରଣରୁ ଭାରତ ମ୍ୟାଚ୍ ଜିତିପାରିନଥିଲା ।