ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଚଳନ୍ତା 'ଟାଟା ସୁମୋ' ଗାଡ଼ି ଉପରେ ପାହାଡ଼ରୁ ବିଶାଳ ପଥର ଖସିପଡ଼ିବା ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସରକାରୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ଆଦିବାସୀ ବହୁଳ ପାଙ୍ଗୀ ଉପତ୍ୟକାର 'କିଲ୍ଲାର-ଉଦୟପୁର' ରାସ୍ତାରେ ଥିବା 'କାଡୁ ନାଲା' ନିକଟରେ ଏହି ଦୁର୍ଘଟଣା ଘଟିଛି।
ପ୍ରତ୍ୟକ୍ଷଦର୍ଶୀ ଓ ପ୍ରଶାସନିକ ସୂଚନା ଅନୁଯାୟୀ, ଗାଡ଼ିଟି ଯାଉଥିବା ସମୟରେ ହଠାତ୍ ପାହାଡ଼ରୁ ଏକ ବଡ଼ ପଥର ଗାଡ଼ି ଉପରେ ପଡ଼ିଥିଲା। ପଥରଟି ଏତେ ଓଜନିଆ ଥିଲା ଯେ, ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଛି।

ଭରମୌର-ପାଙ୍ଗୀର ବିଧାୟକ ଡକ୍ଟର ଜନକ ରାଜ କହିଛନ୍ତି ଯେ, ଟାଟା ସୁମୋରେ ଯାତ୍ରା କରୁଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ସ୍ଥାନୀୟ ପ୍ରଶାସନ ସହ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଚେଷ୍ଟା ଚାଲିଛି।

ରାସ୍ତାରୁ ପଥର ଓ ମାଟି ଅଳିଆ ଆବର୍ଜନା ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ମେସିନ୍ ନିୟୋଜିତ କରାଯାଇଛି।
ଏହି ଦୁର୍ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ସମଗ୍ର ହିମାଚଳ ପ୍ରଦେଶରେ ପ୍ରବଳ ମୌସୁମୀ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ରାଜ୍ୟରେ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ସାଧାରଣରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ।