ଭୋଗରାଇ ୦୧।୦୭ : ଗାଡ଼ିରେ ଯାଉଥିଲା ୫୦ ପେଟି ମଦ । ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କଲା ପୋଲିସ । ଏହି ଚଢାଉରେ ସମସ୍ତ ୫୦ ପେଟିର ମଦକୁ ଜବତ କରିଛି । ତେବେ ଏତେ ପରିମାଣରେ ମଦ ଯାଉଥିଲା କୁଆଡେ ? ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ହୀରାପୁର ଅଞ୍ଚଳରେ ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ଚଢାଉ ହୋଇଥିଲା । ଏହି ଚଢାଉରେ ପୋଲିସକୁ ବଡ଼ ସଫଳତା ମିଳିଛି । ରୁପ୍ସା ଥାନା ପୋଲିସ ଓ ବସ୍ତା ଅବକାରୀ ବିଭାଗ ମିଳିତ ଭାବେ ଏହି ଚଢାଉ କରି ଗାଡ଼ିରୁ ୫୦ରୁ ଅଧିକ ପେଟି ବିଦେଶୀ ମଦ ଜବତ କରିଛି । କୌଣସି ସୁତ୍ରରୁ ଖବର ପାଇ ରୁପ୍ସା ପୋଲିସ ଏବଂ ବସ୍ତା ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିଲେ । ଏହି ସମୟରେ ଏକ ଗାଡ଼ି ଉପରେ ସନ୍ଦେହ ହୋଇଥିଲା । ଏହାପରେ ଉକ୍ତ ଗାଡ଼ିକୁ ପୋଲିସ ଅଟକାଇ ତଲାସୀ କରିଥିଲା । ଏହି ତଲାସୀ ବେଳେ ଗାଡ଼ିରୁ ୫୦ରୁ ଅଧିକ ପେଟିର ବିଦେଶୀ ବ୍ରାଣ୍ଡ୍ର ମଦ ମିଳିଥିଲା ।

Also Read:-ସୌମ୍ୟରଞ୍ଜନ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆକ୍ସନ ନିର୍ଦ୍ଦେଶ, ଡିଜିପିଙ୍କୁ ମଗାଗଲା ଚାର୍ଜସିଟ୍

ତେବେ ଏହା କେଉଁଠାରୁ ଆସୁଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ସେନେଇ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଚୋରା ମଦ କାରବାର ପଛରେ କୌଣସି ସଂଗଠିତ ରାକେଟ କାର୍ଯ୍ୟ କରୁଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି। ଅଧିକାରୀଙ୍କ ସୂଚନା ମୁତାବକ, ଜବତ ମଦର ପରିମାଣ ଓ ମୂଲ୍ୟ ଆକଳନ କରାଯାଉଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜୋରଦାର କରାଯାଇଛି। ଆବଶ୍ୟକ ପଡ଼ିଲେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ କରାଯିବ। ଏହି ସଫଳ ଚଢ଼ାଉକୁ ନେଇ ରୁପ୍ସା ଅଞ୍ଚଳରେ ଚୋରା ମଦ କାରବାର ଉପରେ ଅଙ୍କୁଶ ଲାଗିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ଘଟଣାରେ କେତେ ଜଣଙ୍କ ସମ୍ପୃକ୍ତି ରହିଛି ଓ କେହି ଗିରଫ ହୋଇଛନ୍ତି କି ନାହିଁ, ସେନେଇ ପୋଲିସ ପକ୍ଷରୁ ତଥ୍ୟ ଦିଆଯାଇନାହିଁ ।