ନୟାଗଡ଼ ୨୬।୧୧ : ନୟାଗଡ଼ରେ ଗୋଷ୍ଠୀ ସଂଘର୍ଷକୁ ନେଇ ତୁମୁଳକାଣ୍ଡ । ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ । ମୃତକ ହେଉଛନ୍ତି ମନୁ ବାରିକ । ନୂଆଗାଁ ଥାନା ଅନ୍ତର୍ଗତ ଗାତେରି ପଞ୍ଚାୟତର ଆଡ଼ିପଡ଼ା ଗାଁରେ ଗତକାଲି ରାତିରେ ଘଟିଛି ଏହି ହିଂସାକାଣ୍ଡ । ଗାଁରେ ଦୀର୍ଘଦିନ ଧରି ରହିଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏବେ ବି ଗାଁରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତି ଉପରେ ନଜର ରଖିଛି ପୋଲିସ ।

ଖବର ଅନୁଯାୟୀ, ଆଡ଼ିପଡ଼ା ଗାଁରେ ଦୀର୍ଘଦିନ ଧରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦକୁ ନେଇ ଗତକାଲି ରାତିରେ କୌଣସି କାରଣରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହା ଉଗ୍ରରୂପ ନେଇ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ଉଭୟ ପକ୍ଷରୁ ମାରପିଟ୍ ହେବା ଫଳରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ସଂଘର୍ଷରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥାକୁ ଦେଖି ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତମାନେ ମହୀପୁର ଓ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି କିଛି ଆହତ ଚିକିତ୍ସା ପରେ ନିଜ ଗାଁକୁ ଫେରିଛନ୍ତି । ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଏବେ ବି ଜାରି ରହିଛି ।

Also Read:-ଦିନେ ହାତରେ ଧରୁଥିଲେ ବିଡ଼ାବିଡ଼ା ନୋଟ୍, କିନ୍ତୁ ଆଜି ତ୍ରିଶୂଳ : କୋଟିପତି ଜୀବନ ଛାଡି ପାଲଟିଗଲେ ସନ୍ନ୍ୟାସୀ

ଘଟଣା ପରେ ଆଡ଼ିପଡ଼ା ଗାଁରେ ପୋଲିସ ମୁତୟନ କରାଯାଇଛି । ନୂଆଗାଁ ଥାନା ଓ ନୟାଗଡ଼ ସଦର ଥାନାର ପୋଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଗୋଟିଏ ଗୋଷ୍ଠୀର ପାଞ୍ଚଜଣଙ୍କୁ ଥାନାକୁ ନେଇଥିବା ସୂଚନା ମିଳିଛି । ଘଟଣାର ପ୍ରକୃତ କାରଣ ଓ ସଂଘର୍ଷରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ଏବେ ବି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି । କୌଣସି ପ୍ରକାର ଅପ୍ରୀତିକର ଘଟଣା ଯେପରି ନଘଟେ, ସେଥିପାଇଁ ପୋଲିସ ସତର୍କ ରହିଛି । ଗାଁରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପୋଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ । ଦୀର୍ଘଦିନର ବିବାଦ କିପରି ଏତେ ବଡ଼ ସଂଘର୍ଷର ରୂପ ନେଲା, ତାହାର ତଦନ୍ତ ଉପରେ ଏବେ ସମସ୍ତଙ୍କ ନଜର ।