ଭୁବନେଶ୍ୱର: ୨୦୨୬ ମୌସୁମୀ ଋତୁର ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି।  ଜୁନ୍ ୨୪-୨୫ ଆଡ଼କୁ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବ। ଏନେଇ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। 

ଜୁନ୍ ୨୨-୨୩ ପରେ ନିମ୍ନ-ସ୍ତରୀୟ ଜେଟ୍ (Low-Level Jet) କ୍ରମଶଃ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଭାରତୀୟ ଅଞ୍ଚଳକୁ ଆର୍ଦ୍ରତା ପ୍ରବାହକୁ ବଢ଼ାଇବ। ପାଣିପାଗ ମଡେଲ୍ ଅନୁଯାୟୀ, ଜୁନ୍ ୨୪-୨୫ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଅଧିକ ଶକ୍ତିଶାଳୀ କରିବା ସହ ଦ୍ୱୀପାଞ୍ଚଳ ଓ ମଧ୍ୟ ଭାରତରେ ବର୍ଷାର ପରିମାଣ ବଢ଼ାଇବ ଏବଂ ମୌସୁମୀର ଆଗକୁ ଅଗ୍ରସର ହେବାରେ ସହାୟକ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ରାଜ୍ୟରେ ମୌସୁମୀ ପ୍ରବେଶ ସତ୍ତେ୍ୱ ଗରମ ପ୍ରକୋପ ଜାରି ରହିଛି । ପୂର୍ବାନୁମାନ ଯାହା, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗରମ, ଗୁଳୁଗୁଳିରୁ ନିସ୍ତାର ସମ୍ଭାବନା କମ୍ ।

ମୌସୁମୀ ବାୟୁ ଅନୁକୂଳ ହେବା ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା କ୍ରମଶଃ କମିବ । ଶକ୍ତିଶାଳୀ ହେଉଥିବା ମୌସୁମୀ ବାୟୁ ପ୍ରବାହ ଏହି ସମୟରେ ଓଡ଼ିଶାର ପଡ଼ୋଶୀ ଅଞ୍ଚଳ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିବ ।

 

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୧ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେବ । ରାତିରେ ମଧ୍ୟ ଗରମରୁ ନିସ୍ତାର ମିଳିନପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଭୀଷଣ ଗରମ ଜାରି ରହିବ । ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ । କେତେକ ଜାଗାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।