ଭୁବନେଶ୍ୱର ୧୧।୦୬ : ମୌସୁମୀ ଆସୁଛି । ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ। ରାଜ୍ୟରେ ଆସନ୍ତା ୨ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଖସିପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

ଗତ କିଛି ଦିନ ଦିନ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବଙ୍ଗୋପସାଗରରେ ଧୀରେ ଧୀରେ ଆଗକୁ ବଢ଼ୁଛି। ମୌସୁମୀର ଗତିକୁ ଅତି ଦ୍ରୁତ କରିବା ଭଳି କୌଣସି ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର କିମ୍ବା ଅବପାତ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ସୃଷ୍ଟି ହୋଇନାହିଁ । ନିକଟରେ ସୃଷ୍ଟି ହେବାର ସଙ୍କେତ ମଧ୍ୟ ମିଳୁନାହିଁ। ଆନ୍ତର୍ଜାତିକ ପାଣିପାଗ ମଡେଲଗୁଡ଼ିକର ଆକଳନ ଅନୁଯାୟୀ, ଓଡ଼ିଶାରେ ମୌସୁମୀ ଏକାସଙ୍ଗେ ସମଗ୍ର ରାଜ୍ୟକୁ ନ ଛୁଇଁ ପର୍ଯ୍ୟାୟକ୍ରମେ ଧୀରେ ଧୀରେ ଆଗକୁ ବଢ଼ିପାରେ। ପ୍ରଥମ ପର୍ଯ୍ୟାୟରେ ୧୩–୧୫ ଜୁନ୍ ଭିତରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ।

Also Read:-Police Enconter : ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ପୋଲିସର ଏନକାଉଣ୍ଟର, ୩ ପୋଲିସ କର୍ମଚାରୀ ବି ଆହତ

ମୌସୁମୀ ଆଗମନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲା ପ୍ରଭାବିତ ହେବେ। ପଶ୍ଚିମ ଓଡ଼ିଶାକୁ ୧୪-୧୭ଜୁନ ମଧ୍ୟରେ ମୌସୁମୀ ଆଗମନ କରିପାରେ। ତୃତୀୟ ପର୍ଯ୍ୟାୟରେ ଉତ୍ତର-କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫–୧୯ ତାରିଖ ମଧ୍ୟରେ ମୌସୁମୀ ଛୁଇଁପାରେ।