ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆଶ୍ବସ୍ତିକର ଖବର ଦେଇଛି।  ଜୁନ୍‌ ୧୨ (ଶୁକ୍ରବାର) ଦେଶର ୧୩ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି ।  ଦେଶର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ପାଣିପାଗରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ।

ମୌସୁମୀ ଏବଂ ସ୍ଥାନୀୟ ବାୟୁମଣ୍ଡଳୀୟ ପରିବର୍ତ୍ତନ ଯୋଗୁଁ ଶୁକ୍ରବାର ଦିନ ଦେଶର ପ୍ରାୟ ୧୩ଟି ରାଜ୍ୟରେ ପାଣିପାଗ ପରିବର୍ତ୍ତନ ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଦେଶର ପ୍ରାୟ ୨୫ରୁ ଅଧିକ ଜିଲ୍ଲାରେ ଏହି ଝଡ଼ର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳିବ, ଫଳରେ ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡ଼ିବାର ଆଶଙ୍କା ରହିଛି। ବିଶେଷ କରି ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର, ପଶ୍ଚିମବଙ୍ଗ, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସମାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅତି ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ଦକ୍ଷିଣ ଭାରତ ଏବଂ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ କଭର କରିବା ପରେ ଏବେ ମୌସୁମୀ ପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରବେଶ କରିସାରିଛି। ଗତ ଜୁନ୍ ୪ ତାରିଖରେ କେରଳ ଛୁଇଁବା ପରେ, ମାତ୍ର ଏକ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଦେଶର ୧୬ଟି ରାଜ୍ୟକୁ ବ୍ୟାପି ସାରିଛି।

ଚଳିତ ବର୍ଷ ମୌସୁମୀର ଗତିପଥ ଅତ୍ୟନ୍ତ ଅନୁକୂଳ ରହିଛି। ୧୧ ଜୁନ୍ ୨୦୬ ସୁଦ୍ଧା ମୌସୁମୀ ବାୟୁ ଦେଶର ବିଭିନ୍ନ ପ୍ରାନ୍ତରେ ନିଜର ପ୍ରଭାବ ବିସ୍ତାର କରିଛି । ମୌସୁମୀ ବାୟୁ କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ସହ ତାମିଲନାଡୁ ଓ ପୁଡୁଚେରୀର ବାକି ରହିଯାଇଥିବା ସମସ୍ତ ଭାଗରେ ପହଞ୍ଚିସାରିଛି । ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ ଏବଂ ଏବେ ବିହାରରେ ମଧ୍ୟ ପ୍ରବେଶ କରିଛି।

 ଏକ ସପ୍ତାହ ମଧ୍ୟରେ ମୌସୁମୀ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୋଆ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର-ପୂର୍ବ ଭାରତର (North-East) ସମସ୍ତ ରାଜ୍ୟରେ ସକ୍ରିୟ ହୋଇଛି।  ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଡ଼କୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହି ରାଜ୍ୟଗୁଡ଼ିକରେ ଖୁବଶୀଘ୍ର ମୌସୁମୀ ଜନିତ ବର୍ଷା ଆରମ୍ଭ ହେବ।