ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ବହୁତ ଭଲ ଆଇଡିଆ ଅଛି ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି । ପୁଟିନ କହିଛନ୍ତି, ମୋଦୀଙ୍କ ପାଖରେ ଅତ୍ୟନ୍ତ ସ୍ପଷ୍ଟ ଏବଂ ଗ୍ରହଣଯୋଗ୍ୟ 'ଉତ୍ତମ ବିଚାର' ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଦ୍ୱିପାକ୍ଷିକ ବୈଠକରେ ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ଅନ୍ତ ପାଇଁ ଗୁରୁତ୍ୱାରୋପ କରନ୍ତି ଏବଂ ଏଥିରେ ଗଭୀର ଆଗ୍ରହ ପ୍ରକାଶ କରନ୍ତି। 

 ବାର୍ଷିକ 'ଭାଲଡାଇ ଇଣ୍ଟରନ୍ୟାସନାଲ୍ ଡିସକସନ୍ କ୍ଲବ୍'ର ଆଲୋଚନା ଚକ୍ରରେ ଭାଗ ନେଇ ପୁଟିନ୍ ଏହି ମନ୍ତବ୍ୟ ଦେଇଛନ୍ତି ।  ଏନେଇ ରୁଷର ସରକାରୀ ସମ୍ବାଦ ସଂସ୍ଥା 'ଟାସ୍'ରେ ଖବର ପ୍ରକାଶ କରିଛି।  ପୁଟିନ୍ କହିଛନ୍ତି ଯେ, ‘ଭାରତ ଓ ରୁଷ ମଧ୍ୟରେ ଅତି ନିବିଡ଼ ଏବଂ ବ୍ୟକ୍ତିଗତ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରହିଛି। ଏହି ସମ୍ପର୍କ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଦୂରଦର୍ଶୀ ବିଶ୍ୱ ନେତା ଭାବରେ  ଯୁଦ୍ଧ ରୋକିବାକୁ ପ୍ରଚେଷ୍ଟା କରୁଛନ୍ତି । କିଭଳି ଶାନ୍ତି ପ୍ରତିଷ୍ଠା କରିହେବ ସେନେଇ ସେ ପ୍ରଶ୍ନ କରନ୍ତି। 

ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନ୍ ସ୍ଥିତି ଏବଂ ଶାନ୍ତି ପ୍ରକ୍ରିୟା ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସକୋଭ୍ ମଧ୍ୟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, କୂଟନୀତି ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଭାରତର ନୀତିକୁ ରୁଷ ସମ୍ପୂର୍ଣ୍ଣ ସମର୍ଥନ କରେ।

ଭାରତର ସଂସ୍କୃତି ଓ ଏକତାକୁ ପ୍ରଶଂସା

ଏହି ଆଲୋଚନା ସମୟରେ ରାଷ୍ଟ୍ରପତି ପୁଟିନ୍ ଭାରତର ସାଂସ୍କୃତିକ ବିବିଧତା ଏବଂ ଏକତାକୁ ନେଇ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଭାରତର ବିବିଧତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ସୂଚନା ଦେଇ ପୁଟିନ୍ କହିଛନ୍ତି ଯେ, ୧୫୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୬୦ କୋଟି ଲୋକ ହିନ୍ଦୀ ଭାଷା କହୁଛନ୍ତି । ବାକି ଲୋକ ନିଜ ନିଜର ଆଞ୍ଚଳିକ ଭାଷା କୁହନ୍ତି । ତଥାପି ସମସ୍ତେ ଏକାଠି ଶାନ୍ତିରେ ବସବାସ କରୁଛନ୍ତି। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ଗୁଣ ସାରା ବିଶ୍ୱ ପାଇଁ ଏକ ଶ୍ରେଷ୍ଠ ଉଦାହରଣ । ଏଥିରୁ ସମସ୍ତଙ୍କର ଶିଖିବାର ଅଛି ବୋଲି ରୁଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି।