ଭଦ୍ରକ : ଘର ଭିତରୁ ଶୁଭୁଛି ବାହୁନା । ଗାଁ ଦାଣ୍ଡରେ ହରିନାମ ସତ୍ୟ ହୈ …ଗୋବର ପାଣି ଛିଞ୍ଚା ଆଉ କୋହ ଚାପି ଲୁହ ପୋଛୁଛନ୍ତି ଗାଁ ଝିଅ ବୋହୂ ...ଏତ ନିଜ ଲୋକର ମୃତ୍ୟୁରେ ଶୋକ … ଶେଷ ଯାତ୍ରାର ଦୃଶ୍ୟ । କିନ୍ତୁ ଆଖି ଦେଖୁଥିବା ଏହି ଦୃଶ୍ୟ ପଛର ଖବର ଆହୁରି ଦୁଃଖଦ । ଏକ ଲମ୍ବା ପ୍ରତୀକ୍ଷା, ଅନେକ ବେଦନା ଏବଂ ଅମାପ ଅଶ୍ରୁର ଅସହାୟ ଉପସଂହାର । ଏକ ବିରଳ ଘଟଣା ଯାହା ଅନେକଙ୍କ ଲାଗି ଅବିଶ୍ବାସର କଥା । କିନ୍ତୁ ଏହା ସତ ଏବଂ ତା ପଛରେ ବି ରହିଛି ମାନବୀୟ ନିୟମ, ବିଶ୍ବାସ ଓ ଭାବନା ଇତ୍ୟାଦି। ଘଟଣାଟି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଚୁଡାକୁଟି ପଞ୍ଚାୟତର ବିଦ୍ୟାଧରପୁର ଗାଁ ର ।

କିନ୍ତୁ କାହାର ଏ ଶବ ? କୋକେଇରେ କ’ଣ ଶୋଇନି ମଣିଷ ? ହଁ ଏ ସନ୍ଦେହ ସତ, ମଣିଷ ନୁହେଁ ଏକ ପିତୁଳା , ମଣିଷ ଆକାରରେ , ପଳାଶ କାଠ ଏବଂ ପତ୍ର, କିଛି ନଡାରେ ତିଆରି ମଣିଷ ଆକୃତିର ପିତୁଳା । ତାହାହିଁ ଶବ, ଜଣେ ନିଖୋଜ ମଣିଷର ଶବ । ଆଉ ସେହି ନିଖୋଜ ବ୍ୟକ୍ତି ଜଣକ ହେଲେ ଶତ୍ରୁଘ୍ନ ସାହୁ । ଭଦ୍ରକ ଯାଉଛି କହି ଘରୁ ବାହାରିଥିଲେ, ୨୦୦୦ ମସିହାରୁ ଆସି ୨୦୨୬ ହେଲାଣି । କିନ୍ତୁ ଫେରିଲେନି କି ମିଳିଲେନି । ସ୍ତ୍ରୀ , ଦୁଇ ପୁଅ ଓ ସମ୍ପର୍କୀୟ ଅନେକ ଖୋଜିଲେ, ପୋଲିସରେ ଅଭିଯୋଗ ଲେଖିଲେ । କିନ୍ତୁ ସବୁ ଚେଷ୍ଟା ବିଫଳ । ଏବେ ଶତୃଘ୍ନଙ୍କ ପତ୍ନୀଙ୍କ ସମ୍ମତି ନେବା ପରେ ହେଉଛି ସ୍ବର୍ଗବାସୀ ଯାତ୍ରା ।

Also Read- ଭଦ୍ରକ ସହରର ଦୁଇ ହୋଟେଲରେ ଅଚାନକ ଚଢ଼ାଉ, ଧରାପଡ଼ିଲେ ୪ ଗ୍ରାହକଙ୍କ ସହ ୨ ଯୁବତୀ

୨୬ ବର୍ଷ ହେଲା ନିଖୋଜ । ଏବେ ଦୀର୍ଘ ବର୍ଷ ପରେ ଶତୃଘ୍ନଙ୍କ ଶେଷ ଯାତ୍ରାର ଦୃଶ୍ୟ । ଛ ଖଣ୍ଡ କାଠରେ କୋକେଇ ସଜଡାହେଲା। ସେଥିରେ ଶୋଇଲା ମଣିଷ ଆକାରରେ , ପଳାଶ କାଠ ଏବଂ ପତ୍ର ତଥା କିଛି ନଡାରେ ତିଆରି ପିତୁଳା । ଧଳା କପଡା ଢଙ୍କା ହେଲା । କୋକେଇକୁ କାନ୍ଧରେ ଧରିଲେ ସାହୀ ଭାଇ । ହାରିନାମ୍ ରାମ ନାମ୍ ସତ୍ୟ ହୈ ଡାକି ହେଲେ ଶ୍ମସାନ ମୁହାଁ । ସେଠାରେ ଶେଷକୃତ୍ୟ । ପ୍ରତୀକ ଶବଟିକୁ ନୂଆ ଲୁଗା ପିନ୍ଧାଇ , ହଳଦୀ ଲଗାଇ ଗାଧୋଇଦେବା ସହ ଖାଦ୍ୟ ଖୁଆଇ ଥିଲେ । ପରେ ତାହାକୁ ଶ୍ମଶାନରେ ପୋତିଲେ । ଏବେ ପାଳିବେ, ଦଶାହରେ ସୁଦ୍ଧି କ୍ରିୟା ହେବ, ତାପରେ ଏକାଦଶାହ ଏବଂ ଅନ୍ୟାନ୍ୟ ରିତିନୀତି ଯଥାବିଧି ହେବ ।

୨୬ ବର୍ଷ ନିଖୋଜ ପରେ ଏକ କଠିନ ନିଷ୍ପତ୍ତି ନେବାକୁ ହେଲା । ଆତ୍ମୀୟ ମାନେ ଏଥିଲାଗି ପୁରୀ ମୁକ୍ତିମଣ୍ଡପ ସହ ଅନ୍ୟ ପଣ୍ଡିତଙ୍କ ମତାମତ ନେଲେ । ଶେଷରେ ଶତୃଘ୍ନଙ୍କ ପତ୍ନୀଙ୍କ ସମ୍ମତି । କାରଣ ୧୨ ବର୍ଷ ପରେ ପ୍ରତୀକାତ୍ମକ ଶବ ସତ୍କାର କରିବା କଥା । କିନ୍ତୁ ଶତ୍ରୁଘ୍ନ ଙ୍କ ସ୍ତ୍ରୀ , ପିଲା ଓ ସମ୍ପର୍କୀୟ ଙ୍କ ଅନୁମତି ପାଇଁ ଦୀର୍ଘ ୨୬ ବର୍ଷ ପରେ ବିଧି ପାଳନ ହେଲା। ଶବ ସତ୍କାର ପୁଣି ଏମିତି ଏକ ବିଧି , ତାହାହିଁ ଚକିତ କରେ । ତେବେ ଜଣେ ନିଖୋଜ ହେବାର ୨୬ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାର ଧୈର୍ଯ୍ୟ ନିସ୍ଚିତ ଭାବେ କଠିନ । ତେବେ ଶେଷରେ ସମ୍ମାନ,ବିଧି ,ପରମ୍ପରା ଏବଂ ଲୁହ ସହ ବିଦାୟ ମାନବତାର ଏକ ବଡ ପରିଚୟ ନୁହେଁ କି ?