ଢ଼ାକା: ବାଂଲାଦେଶର ରାଜନୀତିରେ ବଡ଼ ପରିବର୍ତ୍ତନ ଘଟିଛି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ର ବରିଷ୍ଠ ନେତା ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର ଦେଶର ୨୩ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି।

ସଂସଦରେ ଅନୁଷ୍ଠିତ ନିର୍ବାଚନରେ ମିର୍ଜା ଫକରୁଲ୍ ୨୫୫ଟି ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୧୧-ଦଳୀୟ ମେଣ୍ଟର ପ୍ରାର୍ଥୀ ଓଲି ଅହମ୍ମଦ ୩୫ଟି ଭୋଟ୍ ପାଇଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ ହେବା ପରେ, ମିର୍ଜା ଫକରୁଲ୍ ବିଏନ୍‌ପିର ସାଧାରଣ ସମ୍ପାଦକ ଏବଂ ନ୍ୟାସନାଲ ଷ୍ଟାଣ୍ଡିଂ କମିଟିର ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ।

ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ୍ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତାଙ୍କ ଇସ୍ତଫା ପରେ ବାଚସ୍ପତି ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ତୁଲାଉଥିଲେ।

ମିର୍ଜା ଫକରୁଲଙ୍କ ରାଜନୈତିକ ଯାତ୍ରା
୧୯୪୮ ମସିହାରେ ଠାକୁରଗାଓଁରେ ଜନ୍ମଗ୍ରହଣ କରିଥିବା ଫକରୁଲ୍ ଶିକ୍ଷକତା ଏବଂ ସରକାରୀ ସେବାରୁ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ୧୯୯୦ ଦଶକରେ ବିଏନପିରେ ଯୋଗ ଦେବା ପରେ ସେ ୨୦୧୧ରୁ ଦଳର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ଏବଂ ୨୦୧୬ରୁ ପୂର୍ଣ୍ଣକାଳୀନ ସାଧାରଣ ସମ୍ପାଦକ ଭାବରେ ଦଳକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସେ ପୂର୍ବରୁ ସାଂସଦ ଭାବରେ ନିର୍ବାଚିତ ହେବା ସହ କୃଷି, ବେସାମରିକ ବିମାନ ଚଳାଚଳ ଏବଂ ପର୍ଯ୍ୟଟନ ମନ୍ତ୍ରାଳୟର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ସଙ୍କଟ ସମୟରେ ବିଏନପିକୁ ସଙ୍ଗଠିତ ରଖିବାରେ ତାଙ୍କର ଦୀର୍ଘ ଦିନର ଅବଦାନ ପାଇଁ ଦଳ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନଜନକ ପଦବୀ ପାଇଁ ମନୋନୀତ କରାଯାଇଛି।