ଜୟପୁର: ରାତିର ନିସ୍ତବ୍ଧତା, ଶାନ୍ତ ପରିବେଶ ଏବଂ ତା’ ଭିତରେ ଲୁଚି ରହିଥିଲା ଏକ ଭୟଙ୍କର ସୈତାନୀ ଯୋଜନା । ଜଣେ ୧୭ ବର୍ଷର ନାବାଳକ, ଯା'ର ମନରେ ଖେଳକୁଦ ଏବଂ ଭବିଷ୍ୟତର ସ୍ୱପ୍ନ ରହିବା କଥା, ସେ ଦୀର୍ଘ ୫ ମାସ ଧରି ରଚୁଥିଲା ନିଜ ଜନ୍ମକଲା ବାପା ଓ ପରିବାରକୁ ସବୁଦିନ ପାଇଁ ଶୁଆଇ ଦେବାର ଏକ ବ୍ଲୁ-ପ୍ରିଣ୍ଟ ।

ସକାଳୁ ଯେତେବେଳେ ରାସ୍ତାକଡ଼ରେ ଏକ ଜଳନ୍ତା ଗାଡ଼ି ଭିତରୁ ଚାରୋଟି ମୃତଦେହ ମିଳିଲା, ସମସ୍ତେ ଭାବିଲେ ଏହା ଏକ ଦୁର୍ଘଟଣା । କିନ୍ତୁ ସେହି ପୋଡ଼ିଯାଇଥିବା ଗାଡ଼ି ଏବଂ ରକ୍ତର ଦାଗ ପଛରେ ଲୁଚି ରହିଥିଲା ପ୍ରତିଶୋଧ, ସମ୍ପତ୍ତିର ଲୋଭ ଏବଂ ପାରିବାରିକ ଦ୍ୱେଷର ଏକ କଳା ଅଧ୍ୟାୟ । ପ୍ରଥମେ ଯାହା ଏକ ଦୁର୍ଘଟଣା ବୋଲି ମନେ ହେଉଥିଲା ତାହା ଏବେ ରାଜସ୍ଥାନର ସବୁଠାରୁ ଭୟଙ୍କର ହତ୍ୟା ତଦନ୍ତ ମଧ୍ୟରୁ ଗୋଟିଏ ।

ପୂର୍ବତନ ସରପଞ୍ଚ ରାମ ସିଂ ଚୌଧୁରୀ, ତାଙ୍କର ଦ୍ୱିତୀୟ ପତ୍ନୀ ସୁରଜ୍ଞାନ, ମାଆ ପୁସି ଦେବୀ ଏବଂ ସମ୍ପର୍କୀୟ ଝିଆରୀ ମହିମାଙ୍କ ମୃତଦେହ ଏକ ପୋଡ଼ିଯାଇଥିବା ଗାଡ଼ି ଭିତରୁ ମିଳିଥିଲା । ପୋଲିସ କହିଛି ଯେ ଏହି ମାମଲାରେ ପ୍ରଥମ ସଫଳତା ରାମ ସିଂ ଚୌଧୁରୀଙ୍କ ୧୭ ବର୍ଷର ନାବାଳକ ପୁଅର ଅସ୍ୱାଭାବିକ ଆଚରଣରୁ ମିଳିଥିଲା । ପରିବାରର ଅନ୍ୟ ସଦସ୍ୟମାନେ ଶୋକରେ ବୁଡ଼ିଥିବା ବେଳେ ତଦନ୍ତକାରୀ ଦେଖିଥିଲେ ଯେ ନାବାଳକ ପୁଅଟି ଅସ୍ୱାଭାବିକ ଭାବେ ଶାନ୍ତ ଥିଲା । ତାଙ୍କ ମାଆ କାନ୍ଦୁଥିବା ସମୟରେ ମଧ୍ୟ ସେ ଅଚିନ୍ତାରେ ତାଙ୍କ ପାଖରେ ବସି ଆଶ୍ୱାସନା ଦେଉଥିଲା ଏବଂ ଚା’ ପିଉଥିଲା । ପୋଲିସକୁ ଏହି ବ୍ୟବହାର ଅତି ଆଶ୍ଚର୍ଯ୍ୟଜନକ ଲାଗିଥିଲା, ପରେ ସେମାନେ ତା ଉପରେ ନଜର ରଖିବା ଆରମ୍ଭ କରିଥିଲେ ।

ପ୍ରଥମେ ଲୋକମାନେ ପୋଲିସକୁ କହିଥିଲେ ଯେ ରାମ ସିଂ ତାଙ୍କର ଅସୁସ୍ଥ ମାଆଙ୍କୁ ଡାକ୍ତରଖାନା ନେଇଯାଉଥିବା ବେଳେ ଗାଡ଼ିରେ ନିଆଁ ଲାଗିଯାଇଥିଲା ଏବଂ ସମସ୍ତେ ମୃତ୍ୟୁବରଣ କରିଥିଲେ । କିନ୍ତୁ ପୋଲିସ ଏହି କଥାରେ କିଛି ବିସଙ୍ଗତି ଦେଖିଥିଲା । ପୋଲିସ ଲକ୍ଷ୍ୟ କଲା ଯେ ଗାଡ଼ିର ସାମନା ସିଟରେ କେହି ବି ବସି ନ ଥିଲେ । ଏଥିସହିତ ସୁରଜ୍ଞାନଙ୍କ ଶରୀରରେ ନିଆଁ ଲାଗିବା ପୂର୍ବରୁ ଛୁରିରେ ଆଘାତ କରାଯାଇଥିବା ଜଣାପଡ଼ିଥିଲା । ଏହାପରେ ଏହି ମାମଲା ଦୁର୍ଘଟଣାରୁ ହତ୍ୟାକାଣ୍ଡର ତଦନ୍ତ ଆଡ଼କୁ ମୋଡ଼ ନେଇଥିଲା । ଜେରା ସମୟରେ ନାବାଳକ ପୁଅଟି ନିଜର ଅପରାଧ ସ୍ୱୀକାର କରିଥିଲା ।

ଅଜମେର ଏସପି  ହର୍ଷ ବର୍ଦ୍ଧନ କହିଛନ୍ତି, ରାମ ସିଂ ଚୌଧୁରୀଙ୍କ ଦ୍ୱିତୀୟ ବିବାହ ପରେ ପରିବାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ନିଜ ମାଆଙ୍କ ପ୍ରତି ବାପାଙ୍କ ଖରାପ ବ୍ୟବହାର ଦେଖି ପିଲାମାନଙ୍କ ମନରେ ବାପାଙ୍କ ପ୍ରତି ରାଗ ବଢ଼ିବାରେ ଲାଗିଥିଲା । ଏହା ବ୍ୟତୀତ ନାବାଳକ ପୁଅଟି ଘରେ ନିଜକୁ ବନ୍ଦୀ ଭଳି ଅନୁଭବ କରୁଥିଲା । ଏହି ପରିବାରର ରହିବା ଶୈଳୀ ମଧ୍ୟ ଟିକେ ଭିନ୍ନ ଥିଲା । ରାମ ସିଂ ଅଜମେରଠାରୁ ପ୍ରାୟ ୬୦ କିଲୋମିଟର ଦୂର ଶ୍ରୀରାମପୁରା ଗାଁରେ ଏକ ନିଛାଟିଆ ଫାର୍ମହାଉସରେ ତାଙ୍କର ଦୁଇ ପତ୍ନୀ, ମାଆ ଏବଂ ସମ୍ପର୍କୀୟ ଝିଆରୀଙ୍କ ସହ ରହୁଥିଲେ ।

ତଦନ୍ତ ଅନୁସାରେ, ସେହି ନାବାଳକ ପୁଅଟି ପ୍ରାୟ ୫ ମାସ ହେବ ଏହି ହତ୍ୟାକାଣ୍ଡ ପାଇଁ ଯୋଜନା କରୁଥିଲା । ସେ ନିୟମିତ ଭାବେ କ୍ରାଇମ୍ ୱେବ୍ ସିରିଜ୍ ଦେଖୁଥିଲା ଏବଂ ମୋବାଇଲ୍ ଗେମ୍ ଖେଳୁଥିଲା । ଘଟଣା ଦିନ ରାତିରେ ରାମ ସିଂ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ବିୟର ପିଇ ଶୋଇବାକୁ ଯାଇଥିଲେ । ନାବାଳକଟି ରାତି ଅନିଦ୍ରା ରହି ଭୋର ସକାଳ ୪ଟା ପର୍ଯ୍ୟନ୍ତ ମୋବାଇଲ୍‌ରେ ଗେମ୍ ଖେଳୁଥିଲା । ଏହାପରେ ସମସ୍ତେ ଶୋଇଥିବା ବେଳେ ବାପାଙ୍କ ରୁମକୁ ଯାଇ କାନ ପାଖରେ ଛୁରିରେ ମାରିଥିଲେ ।

କିନ୍ତୁ ନାବାଳକଟି ଯେମିତି ଭାବିଥିଲା, ପରେ ଘଟଣା ସେମିତି ହେଲାନାହିଁ । ପାଖରେ ଶୋଇଥିବା ଦ୍ୱିତୀୟ ପତ୍ନୀ ସୁରଜ୍ଞାନଙ୍କ ନିଦ ଭାଙ୍ଗିଗଲା । ନିଜକୁ ବଞ୍ଚାଇବା ପାଇଁ ପାଟି କଲେ । ଶବ୍ଦ ଶୁଣି ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସେହି ରୁମ୍‌କୁ ଚାଲିଆସିଲେ । ସେହି ସମୟରେ ଅଭିଯୁକ୍ତ ନାବାଳକର ନିଜ ମାଆ ଏବଂ ତାର ଭଉଣୀ ଆସି ସୁରଜ୍ଞାନ, ପୁସି ଦେବୀ ଓ ମହିମାଙ୍କୁ ହତ୍ୟା କରିବାରେ ନାବାଳକକୁ ସାହାଯ୍ୟ କରିଥିଲେ ।

ପୋଲିସ କହିବା ଅନୁଯାୟୀ, ସମ୍ପର୍କୀୟ ଝିଆରୀ ମହିମାଙ୍କୁ ନେଇ ପରିବାରରେ ଦୀର୍ଘ ଦିନରୁ ଅସନ୍ତୋଷ ଥିଲା । ମହିମା ପରିବାରର ଆର୍ଥିକ କାରବାର, ଜମି କିଣାବିକା ଏବଂ ବ୍ୟାଙ୍କ ଆକାଉଣ୍ଟ ସବୁ ବୁଝାବୁଝି କରୁଥିଲା । ପରିବାର ଲୋକଙ୍କ ମନରେ ଭୟ ଥିଲା ଯେ ମହିମା ଏବଂ ସୁରଜ୍ଞାନ ମିଶି ରାମ ସିଂଙ୍କ ସମ୍ପତ୍ତିକୁ ନେଇଯିବେ ।

ହତ୍ୟାକାଣ୍ଡ ପରେ ଏହାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ସମସ୍ତ ମୃତଦେହକୁ ଏକ ଗାଡ଼ି ଭିତରେ ରଖି ନିଆଁ ଲଗାଇ ଦିଆଯାଇଥିଲା । କିନ୍ତୁ ଦୁଇଟି କାରଣ ଯୋଗୁଁ ଏହି ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ପ୍ରଥମେ ହେଉଛି ମୃତକଙ୍କ ଶରୀରରେ ଥିବା ଛୁରାମାଡ଼ର ଚିହ୍ନ ଏବଂ ଦ୍ୱିତୀୟଟି ହେଉଛି ସମସ୍ତଙ୍କ ମୃତଦେହ ଗାଡ଼ିର ପଛ ସିଟରେ ହିଁ ମିଳିବା । ଶେଷରେ ନାବାଳକର ଅସ୍ୱାଭାବିକ ଆଚରଣ ପୋଲିସର ସନ୍ଦେହକୁ ଦୃଢ଼ କରିଥିଲା ଏବଂ ସମ୍ପୂର୍ଣ୍ଣ ରହସ୍ୟ ଉପରୁ ପରଦା ହଟିଥିଲା ।