ପଟ୍ଟାମୁଣ୍ଡାଇ ୧।୮: ଗାଧୋଇବା ବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲେ ନାବାଳିକା । ବନ୍ୟା ଜଳରେ ନାବାଳିକା ଭାସିଯିବା ସମୟରେ ଗାଁର ଯୁବକ ମାନେ ନାବାଳିକାଙ୍କୁ ଉଦ୍ଧାର କରି ଗୋଟେ ଗଛ ଧରି ରହିଯାଇଥିଲେ । ପରେ ଆଳି ଅଗ୍ନିଶମ ବାହିନୀ ଓ ବନ ବିଭାଗ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଳସପୁର ଗାଁର ଛାମୁଆ ବନ୍ଧ ନିକଟ ରିଂ ବନ୍ଧ ତଳେ ବନ୍ୟାଜଳ ପ୍ରବାହିତ ହେଉଥିଲା । ବନ୍ୟାର ପ୍ରଖର ସ୍ରୋତରେ କଳସପୁର ଗାଁର ପ୍ରହଲ୍ଲାଦ ମଳିକଙ୍କ ନାବାଳିକା ଝିଅ ଛାମୁଆ ବନ୍ଧ ତଳ କାଣୀ ନଦୀକୁ ଯିବା ରାସ୍ତା ସାମ୍ନାରେ ବନ୍ୟାଜଳରେ ଗାଧୋଉଥିଲେ । ସେହି ସମୟରେ ସେ ଭାସିଯାଇଥିଲେ । ନାବାଳିକା ଜଣଙ୍କ ଭାସିଯିବା ଦେଖି କଳସପୁର ଗ୍ରାମର କିଛି ଯୁବକ ସାହସ ଜୁଟାଇ ନଦୀକୁ ଡେଇଁ ପ୍ରଥମେ ନାବାଳିକାଙ୍କ ପାଖରେ ପହଞ୍ଚି ଗୋଟେ ଗଛ ସାହାଯ୍ୟରେ ଏକ ଘସିଗଦା ଉପରେ ରଖି ପାଟି କରିଥିଲେ ।

​​​​​​​

ଖବର ପାଇ କଳସପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ ଗାଁ ଲୋକେ ପହଞ୍ଚି ଅଗ୍ନିଶମ ବାହିନୀ ଓ ବନ ବିଭାଗକୁ ଖବର ଦେବାପରେ ତୁରନ୍ତ ଆଳି ଅଗ୍ନିଶମ ବାହିନୀ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଯୁବକଙ୍କ ସାହସ ପାଇଁ ଜଣେ ନାବାଳିକା ଝିଅ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବାରୁ ଚାରିଆଡେ ସାହସୀ ଯୁବକ ମାନଙ୍କ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।