ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଜଣେ କ୍ୟାବିନେଟ ମନ୍ତ୍ରୀ ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ କଳି ଉଗ୍ରରୂପ ନେଇଛି  । ଏପରିକି ବ୍ୟକ୍ତିଜଣଙ୍କ ସୋସିଆଲ ମିଡିଆରେ ଭିଡିଓ ଜାରି ନିଜ ପତ୍ନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। । ମନ୍ତ୍ରୀ ପତ୍ନୀ, ତାଙ୍କ ବିରୋଧରେ ଥାନାରେ ଏଫଆଇଆର ଦେବା ପରେ, ସେ ଉତକ୍ଷିପ୍ତ ହୋଇଉଠିଛନ୍ତି । ଏହା ସହ ନିଜ ପତ୍ନୀଙ୍କ ବିରୋଧରେ ସ୍ବର ଉଠାଇଛନ୍ତି । ଉତ୍ତରାଖଣ୍ଡର କ୍ୟାବିନେଟ୍‌ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ସ୍ବାମୀ ଗିରିଧାରୀ ଲାଲ୍‌ ସାହୁ ଜାରି କରିଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । 

ଏଆଇ-ଜେନେରେଟେଡ୍ ଅଡିଓ କ୍ଲିପ୍ ଆଧାରରେ ତାଙ୍କ ବିରୋଧରେ ପୋଲିସରେ ଏଫ୍‌ଆଇଆର୍ ଦାୟର କରାଯାଇଥିବା ସେ ଦାବି କରିଛନ୍ତି। ଭିଡିଓରେ ଗିରିଧାରୀ ଲାଲ୍ ସାହୁ ପତ୍ନୀ ରେଖା ଆର୍ଯ୍ୟଙ୍କ ପୋଲିସ ନିକଟକୁ ଯିବା ନିଷ୍ପତ୍ତିକୁ ପ୍ରଶ୍ନ କରିବା ସହ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ‘ତୁମେ ଏକ ଏଆଇ ଅଡିଓ ଆଧାରରେ ମୋ ନାଁରେ ଏଫ୍‌ଆଇଆର୍ ଦାୟର କରିଛ।’ ରେଖା ଆର୍ଯ୍ୟ ଜୀବନସାରା ମନ୍ତ୍ରୀ ହୋଇରହିବେ ବୋଲି ବେଶ୍ ଆଶାବାଦୀ । ତାଙ୍କର ରାଜନୈତିକ ଉନ୍ନତ୍ତି ପଛରେ ମୋର ବଡ଼ ଭୂମିକା ଥିଲା ବୋଲି ଗିରିଧାରୀ ସାହୁ ଦାବି କରିଛନ୍ତି।

ସେ କହିଛନ୍ତି, ଉତ୍ତରାଖଣ୍ଡ ଜାଣେ ଯେ, ମୁଁ ହିଁ ତୁମକୁ କ୍ଷମତାକୁ ଆଣିଥିଲି । ଯଦି ରେଖା ଅଭିଯୋଗ ପ୍ରତ୍ୟାହାର ନ କରନ୍ତି ତେବେ 'ବାବା ବଙ୍ଖାଣ୍ ନାଥ' ତାଙ୍କୁ କ୍ଷମା କରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆଜି ତୁମେ (ରେଖା) ଯେଉଁ ସ୍ଥାନରେ ଅଛ, ତାହା କେବଳ ମୋ ପାଇଁ ସମ୍ଭବ ହୋଇପାରିଛି । 

୨୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ
ଗିରିଧାରୀ ଲାଲ୍ ସାହୁ ମନ୍ତ୍ରୀ ରେଖା ଆର୍ଯ୍ୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରେଖା ଆର୍ଯ୍ୟ ବିଭିନ୍ନ ଦୁର୍ନୀତି ମାଧ୍ୟମରେ ପ୍ରାୟ ୨୦୦ କୋଟି ଟଙ୍କା ସମ୍ପତ୍ତି ନିଜ ନାଁରେ କରିଛନ୍ତି । କିନ୍ତୁ ସେ ଆଣିଥିବା ଅଭିଯୋଗର ସତ୍ୟତା କେତେ ତାର ସ୍ପଷ୍ଟ ପ୍ରମାଣ ନାହିଁ । ସୂଚନାଯୋଗ୍ୟ ଯେ, ଏହି ଭିଡିଓ ସାମ୍ନାକୁ ଆସିବାର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୧୫ ତାରିଖରେ ଉତ୍ତରାଖଣ୍ଡର ବିଜେପି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରେଖା ଆର୍ଯ୍ୟ ଡେରାଡ଼ୁନର କ୍ୟାଣ୍ଟ ପୋଲିସ ଷ୍ଟେସନରେ ସ୍ୱାମୀ ଗିରିଧାରୀ ଲାଲ୍ ସାହୁଙ୍କ ବିରୋଧରେ ଏଫ୍‌ଆଇଆର୍ ଦେଇଥିଲେ।

ଶାରୀରିକ ନିର୍ଯାତନା, ଜାତିଆଣ ଗାଳିଗୁଲୁଜ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଗରିଧାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ରେଖା । ଏହି ଏଫ୍‌ଆଇଆର୍‌ରେ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନର ବିଭିନ୍ନ ଧାରା ସାମିଲ କରାଯାଇଛି। ନିଜ ଅଭିଯୋଗରେ ରେଖା ଆର୍ଯ୍ୟ ଦର୍ଶାଇଛନ୍ତି ଯେ, ସାହୁ ତାଙ୍କର ପୂର୍ବ ବିବାହ କଥା ଲୁଚାଇଥିଲେ ଏବଂ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କର  ଜଣେ ପତ୍ନୀ ଏବଂ ପିଲାମାନେ ମଧ୍ୟ ଅଛନ୍ତି। ପରିବାର ପରାମର୍ଶ ଏବଂ ପିଲାମାନଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସେ ସେତେବେଳେ ଚୁପ୍ ରହିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି।

 କ୍ଷମା ମାଗିବା ସତ୍ତ୍ୱେ ସାହୁ ଅନ୍ୟ ମହିଳାମାନଙ୍କ ସହ ସମ୍ପର୍କ ଜାରି ରଖିଥିଲେ । ଯେତେବେଳେ ସେ ଏହାର ପ୍ରତିବାଦ କରିଥିଲେ, ସେତେବେଳେ ସ୍ୱାମୀ ତାଙ୍କୁ ଶାରୀରିକ ଓ ମୌଖିକ ନିର୍ଯାତନା ଦେଇଥିଲେ ବୋଲି ରେଖା ଅଭିଯୋଗ କରିଛନ୍ତି । ଏପରିକି ଗିରିଧାରୀ ତାଙ୍କୁ ହତ୍ୟା କରିବା ପାଇଁ ଜଣେ ମହିଳାଙ୍କ ସହ ଷଡ଼ଯନ୍ତ୍ର କରୁଥିବାର ଏକ ଅଡିଓ ରେକର୍ଡିଂ ମଧ୍ୟ ସେ ପାଇଛନ୍ତି ବୋଲି ରେଖା ଦାବି କରିଛନ୍ତି ।

ପୋଲିସରେ ଅଭିଯୋଗ କରିବା ପରେ ରେଖା ଆର୍ଯ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଏବଂ ଅଡିଓ ରେକର୍ଡିଂ ସେୟାର କରିଥିଲେ। ସେ କହିଥିଲେ ଯେ, ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ସେ ପୋଲିସର ଆଶ୍ରୟ ନେଇଛନ୍ତି। ସାମାଜିକ ପ୍ରତିଷ୍ଠା ଯାହା ବି ହେଉନା କାହିଁକି, ପାରିବାରିକ ହିଂସା ବିରୋଧରେ କୌଣସି ମହିଳା ଚୁପ୍ ରହିବା ଉଚିତ୍ ନୁହେଁ । ସେପଟେ ପାରିବାରିକ ଅଶାନ୍ତି ପରେ ରେଖା ଆର୍ଯ୍ୟ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି ।