ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ଜଳୁଛି । ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ । ଅସହ୍ୟ ଖରାକୁ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଲୋକେ ତ ଲୋକ ପଶୁ ପକ୍ଷୀ ବି ଖରାରେ ଛଟପଟ । ଏପରି ସ୍ଥିତିରେ ରାଜ୍ୟରେ ସ୍କୁଲ ସବୁ ସକାଳୁଆ ଚାଲିଛି । ଆଗକୁ ବି ହିଟ୍ଓ୍ୱେଭ୍ ଆଲର୍ଟ ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।

ତେବେ ଖରାକୁ ଦେଖି ଆଗୁଆ ସତର୍କ ହୋଇପଡ଼ିଛନ୍ତି ସରକାର । ଯାହା ଲାଗୁଛି ସରକାର ନେଇପାରନ୍ତି କିଛି ସତର୍କତା ମୂଳକ ପଦକ୍ଷେପ । ପିଲାଙ୍କ ସ୍ୱାସ୍ଥ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା । ଏସବୁକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ଆଗୁଆ କରିବାକୁ ଯୋଜନା ରଖିଛନ୍ତି । ପରୋକ୍ଷରେ ଏନେଇ ଇଙ୍ଗିତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ମନ୍ତ୍ରୀ କହିଛନ୍ତି ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହି ସବୁ ଜିଲ୍ଲା ଗୁଡିକରେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବା ନେଇ ନିଷ୍ପତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପଶ୍ଚିମ ଓଡିଶାରେ କିଛି ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି, ତାହାକୁ ମଧ୍ୟ ବିଚାରକୁ ନେଇଛି ବିଭାଗ ।

ସେହି ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ବିଭାଗ ନିଷ୍ପତି ନେବ । ଏସଆରସି ହିଟ ୱେଭକୁ ନେଇ ବୈଠକ ଡାକି ସମୀକ୍ଷା କରିବା ପରେ ହିଁ ଖରା ଛୁଟି ପାଇଁ ନିଷ୍ପତି ନିଆଯିବ । ତେଣୁ ଏସଆରସିଙ୍କ ମିଟିଂ ପରେ ହିଁ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ ।