ଭୁବନେଶ୍ୱର ୦୫।୦୧ : ଦେବ୍ରିଗଡ଼କୁ ଆସିବେ ୨ ନୂଆ ବାଘ । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ଦେବ୍ରିଗଡ଼କୁ ୨ଟି ବାଘ ଆଣିବା ପାଇଁ ଯୋଜନା ଅଛି। ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ। ମାତ୍ର ଦେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର। ଆମେ ସେମାନଙ୍କ ସହ ଆଲୋଚନା ଜାରି ରଖିଛୁ। ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ। ସେମାନେ ସୁରକ୍ଷିତ ଅଛନ୍ତି। ବଂଶବୃଦ୍ଧି ନେଇ ଭାଗ୍ୟ ଆମକୁ ସାଥ ଦେଇନି। ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି। ଜିପିଏସ ଟ୍ରାକିଂ କରାଯାଉଛି। କ୍ୟାମେରା ମାଧ୍ୟମରେ ମନିଟରିଂ ମଧ୍ୟ ଜାରି ରହିଛି।

ସେପଟେ ଋଷିକୂଲ୍ୟାରେ କଇଁଛଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି ‘ଗତବର୍ଷ ଅଧିକ ସଂଖ୍ୟକ ଅଲିଭ ରିଡଲେ ଆସିଥିଲେ। ଚଳିତ ବର୍ଷ ୬ରୁ  ୭ ଲକ୍ଷ  ଅଲିଭ ରିଡଲେ ଆସିବେ ବୋଲି ଆମର ଆଶା ରହିଛି। ମାତ୍ର ଅସାମାଜିକ ବ୍ୟକ୍ତିଙ୍କ ନଜରରୁ କଇଁଛଙ୍କୁ ରକ୍ଷା କରିବା ଆମର ମୁଖ୍ୟ ଦାୟିତ୍ୱ । ସେଥିପାଇଁ ସେଠାରେ କ୍ଲୋଜ ମନିଟରିଂ କରାଯାଉଛି। ଋଷିକୂଲ୍ୟା, ଭିତରକନିକାରେ ତିନୋଟି ଓ୍ବାଚ ଟାଓ୍ବାର କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ୩ଟି ଜାଗାରେ  ପ୍ରାଥମିକ ଭାବରେ ଓ୍ବାଚ ଟାଓ୍ବାର ହେବ । ପରବର୍ତ୍ତୀ ସମୟରେ ଆଣ୍ଟି ସୋସିଆଲ ଆକ୍ଟିଭିଟି ଦେଖି ଓ୍ବାଚ ଟାଓ୍ବାର ସଂଖ୍ୟା ବୃଦ୍ଧି ନେଇ ଡିଏଫଓଙ୍କୁ  ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ।