ଉଦଳା: ନିଜ କର୍ତ୍ତବ୍ୟ ଅନୁସାରେ ବେଆଇନ ବାଲି ଟ୍ରାକ୍ଟର ଅଟକାଇଲେ, କିନ୍ତୁ ତା’ ପ୍ରତି ବଦଳରେ ଥାନାରେ ଅଟକ ହେଲେ ମାଇନିଂ ଅଧିକାରୀ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ହେଲେ ତାହା ପୂରା ସତ । ଏଭଳି ଘଟଣା ଘଟିଛି ଉଦଳାରେ । ଜିଲ୍ଲା ମାଇନିଂ ଅଧିକାରୀ ଅନାମ ଚରଣ ସିଂ ଏବଂ ଦୁଇ ଜଣ ଜୁନିଅର ମାଇନିଂ ଅଧିକାରୀ ଅଟକ ।

ଉଦଳା ଶ୍ମଶାନ କାଳୀ ନିକଟରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଥାନାକୁ ଆଣିଥିଲେ ତିନି ମାଇନିଂ ଅଧିକାରୀ । ପରେ ସେହି ଟ୍ରାକ୍ଟରକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନେବା ପାଇଁ କହିଥିଲେ ଉପଜିଲ୍ଲାପାଳ । ମାଇନିଂ ଅଧିକାରୀ ଉକ୍ତ ଟ୍ରାକ୍ଟରକୁ ନେଇ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ନିକଟକୁ ଯାଇଥିଲେ । କିନ୍ତୁ ସେଠାରେ ଓଲଟିଗଲା ସ୍ଥିତି ।

ଅଭିଯୋଗ ଅନୁସାରେ, ସେଠାରେ ବେଆଇନ ବାଲି ଗାଡି ଜବତ କରିବା ପରିବର୍ତ୍ତେ ଓଲଟା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ମାଇନିଂ ଅଧିକାରୀଙ୍କୁ ତାଗିଦ କରିଥିଲେ ! ମୋତେ ନ ଜଣାଇ ମୋ ଅଞ୍ଚଳରୁ କ’ଣ ପାଇଁ ଗାଡି ଜବତ କରୁଛ ବୋଲି ପ୍ରଶ୍ନ କରିଥିଲେ । ଏହା ସହିତ ୩ ଅଧିକାରୀଙ୍କୁ ଥାନାରେ ଅଟକ ରଖିବାକୁ ପୋଲିସକୁ କହିଥିଲେ ଉପଜିଲ୍ଲାପାଳ । ଯାହା ପରଠାରୁ ଉଦଳା ଥାନାରେ ଜିଲ୍ଲା ମାଇନିଂ ଅଧିକାରୀଙ୍କ ସହିତ ଦୁଇ ଜୁନିଅର ମାଇନିଂ ଅଧିକାରୀ ଅଟକ ରହିଛନ୍ତି । ଏଘଟଣା ବାବଦରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଏ ବାବଦରେ ବାରମ୍ବାର ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।