ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଜିବୁତି ଉପକୂଳରେ ବଡ଼ ଦୁର୍ଘଟଣା । ଜିବୁତିରୁ ୟେମେନ ଯାଉଥିବା ଏକ ବଡ଼ ଡଙ୍ଗା ସମୁଦ୍ରରେ ବୁଡ଼ିଯାଇଛି।  ଫଳରେ ଏଥିରେ ଥିବା ଶରଣାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ଅନ୍ତର୍ଜାତୀୟ ଶରଣାର୍ଥୀ ସଂଗଠନ (ଆଇଓଏମ୍‌)ର ତଥ୍ୟ ଅନୁଯାୟୀ, ଅକ୍ଟୋବର ୮ ଓ ୯ ରାତିରେ ଡଙ୍ଗାଟି ସମୁଦ୍ରରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୫ ଶିଶୁଙ୍କ ସମେତ ପ୍ରାୟ ୧୦୯ ଜଣ ପ୍ରାଣ ହରାଇଥିବା ବେଳେ ୧୧୬ ଜଣ ନିଖୋଜ ଅଛନ୍ତି । ଏହି ଡଙ୍ଗାରେ ପ୍ରାୟ ୩୫୦ ଜଣ ପ୍ରବାସୀ ଯାତ୍ରା କରୁଥିଲେ । ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । 

ଖୁସିର ସନ୍ଧାନରେ ଜୀବନହାନୀ

ଜିବୁତି​‌ରେ ଆଇଓଏମ୍‌ ମିଶନର ମୁଖ୍ୟ କୋଇସାକ୍‌ କହିଛନ୍ତି, ଏହି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ । ଜୀବନ ହରାଇଥିବା ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି ।ଏହା ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ବୋଲି କୋଇସାକ୍‌ ସୂଚନା ଦେଇଛନ୍ତି । ଆର୍ଥିକ ଉନ୍ନତ୍ତି ଏବଂ ନୂଆ ଜୀବିକାର ସନ୍ଧାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଉଥିବା ଶରଣାର୍ଥୀଙ୍କ ଜୀବନ କିଭଳି ଚାଲିଯାଉଛି ଏହି ଦୁର୍ଘଟଣା ତାର ଉଦାହରଣ । ଏହା ପୂର୍ବରୁ ସମୁଦ୍ରରେ ଏଭଳି ଅନେକ ଶରଣାର୍ଥୀ ସଲିଳ ସମାଧି ନେଇଛନ୍ତି । 

୧୫ ଶିଶୁଙ୍କ ସଲିଳ ସମାଧି

ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ୧୦୯ ମୃତକଙ୍କ ମଧ୍ୟରେ ୫୨ ଜଣ ପୁରୁଷ, ୪୨ ଜଣ ମହିଲା ଏବଂ ୧୫ ଜଣ ଶିଶୁ । ମୃତ ଶିଶୁଙ୍କ ମଧ୍ୟରେ ୯ ଜଣ ଝିଅ ଏବଂ ୬ ଜଣ ପୁଅ । ଏହି ଡଙ୍ଗାବୁଡ଼ି ପରେ ୮୦ରୁ ଅଧିକ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନେ ସମସ୍ତେ ଇଥୋପିଆର ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ସୁରକ୍ଷିତ ସେମାନଙ୍କ ଘରକୁ ଫେରାଇବାକୁ ଉଦ୍ୟମ କରୁଛି ସ୍ଥାନୀୟ ପ୍ରଶସନ ।

ଶରଣାର୍ଥୀଙ୍କ ଦୁଃଖ

ସେପଟେ ଜିବୁତି ସେନା ପକ୍ଷରୁ ନିଖୋଜ ଯାତ୍ରୀମାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଏବଂ ବିବାଦ ଲାଗିରହିଥିବା ବେଳେ ପ୍ରତ୍ୟେକ ବର୍ଷ  Horn of Africa ଅଞ୍ଚଳରୁ ହଜାର ହଜାର ଲୋକ ରୋଜଗାର ଆଶାରେ ଜିବୁତି ଦେଇ ୟେମେନ ଏବଂ ପରେ ଗଲ୍ଫ ଦେଶଗୁଡ଼ିକୁ ଯିବାକୁ ଚେଷ୍ଟା କରନ୍ତି । ତଥ୍ୟ ଅନୁଯାୟୀ, ଗତ ସେପ୍ଟେମ୍ବର ୧୦ ତାରିଖରୁ ଏପର୍ଯ୍ୟନ୍ତ ୨୦,୦୦୦ ରୁ ଅଧିକ ଇଥୋପିଆ ନାଗରିକ ଜିବୁତିରେ ଶରଣ ନେଇସାରିଛନ୍ତି । ସେଠାରୁ ସେମାନେ ଗଲ୍ଫ ଦେଶଗୁଡ଼ିକୁ ଯାଇପାରନ୍ତି ।