ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପେଣ୍ଡାଣୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବିବାଦକୁ କେନ୍ଦ୍ର କରି ଘଟିଥିବା ଛୁରାମାଡ଼ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଉମରକୋଟ ପୋଲିସ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅବଦୁଲ ଶେଖ, ମଳୟ ଦୀପ, ରାଜେଶ ହରିଜନ ।

ଶନିବାର ସକାଳେ ଛାତ୍ର ନେତା ଦୀପକମଲ ମହାପାତ୍ରଙ୍କୁ ଛୁରାମାଡ଼ ଏବଂ ଅଭିଷେକ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏହି ଘଟଣା ପରେ ଉମରକୋଟ ସହରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅପରାଧୀଙ୍କ ଗିରଫ ଦାବିରେ ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ-ବଜାର ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ଉତ୍ତେଜନା ଏତେ ବୃଦ୍ଧି ପାଇଥିଲା ଯେ, ପ୍ରତିବାଦ କରୁଥିବା ଗୋଷ୍ଠୀ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କ ବାଇକକୁ ନିଆଁ ଲଗାଇ ଦେଇଥିଲେ । ସହରରେ ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ କଡ଼ା ନଜର ରଖିଛି ।