ନୂଆଦିଲ୍ଲୀ: ମଝି ଆକାଶରେ ପାୱାର ବ୍ୟାଙ୍କ ଫାଟିବାରୁ ବିମାନରେ ଲାଗିଲା ନିଆଁ। ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବିମାନକୁ ଶେଷରେ ହାଇଦ୍ରାବାଦରେ ଅବତରଣ କରାଯାଇଛି। ରବିବାର ଏହି ଘଟଣା ଘଟିଛି।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଫ୍ଲାଇଟ୍ 6E 6115 ରବିବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚେନ୍ନାଇ ଅଭିମୁଖେ ଉଡ଼ାଣ ଭରିଥିଲା। ହେଲେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କ ହଠାତ୍ ଜଳି ଉଠିବାରୁ ବିମାନକୁ ହାଇଦ୍ରାବାଦର ଶାମସାବାଦରେ ଥିବା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା।

ନିଆଁ ଲାଗିଯିବା ପରେ କ୍ୟାବିନ କ୍ରୁ ମେମ୍ବର ତୁରନ୍ତ ତତ୍ପପରତା ଦେଖାଇ ଫାୟାର ଏକ୍ସଟିଙ୍ଗୁଇସର ଆଣି ନିଆଁ ଲିଭାଇଥିଲେ। ତେବେ ଏହି ଘଟଣରେ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ମିଳିପାରି ନାହିଁ। ବିମାନରେ କେତେ ଯାତ୍ରୀ ଥିଲେ ? ସମସ୍ତେ ସୁରକ୍ଷିତ ଅଛନ୍ତି କି କେହି ଆହତ ହୋଇଛନ୍ତି ସେ ନେଇ ମଧ୍ୟ ସୂଚନା ଆସି ନାହିଁ।

Also Read- ଧ୍ରୁବ ରାଠୀ ଭାରତୀୟ ନା ଜର୍ମାନୀ ନାଗରିକ ? ସାମ୍ନାକୁ ଆସିଲା ସତ

ତେବେ ଏହି ଘଟଣା ପରେ ବିମାନରେ ପାୱାର ବ୍ୟାଙ୍କ ନେବା ସୁରିକ୍ଷିତ କି ନା ତାକୁ ନେଇ ପ୍ରଶ୍ନ ଉଠିଛି। କାରଣ ଏଥିରେ ଲିଥିୟମ ଆୟନ ବ୍ୟାଟେରୀର ବ୍ୟବହାର କରାଯାଉଛି। ଆଉ ଯଦି ଏହି ବ୍ୟାଟେରୀ ଖରାପ ଥିବ କିମ୍ବା ଭିତରେ କୌଣସି ସମସ୍ୟା ଥିବ ତେବେ ଏଥିରେ ନିଆଁ ଲାଗିଯିବାର ଭୟ ରହିଛି। ତେବେ ବିମାନରେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ବି ସନ୍ଦେହରେ ରହିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତଦନ୍ତ ପରେ ଘଟଣା ସାମ୍ନାକୁ ଆସିପାରେ।