ନୂଆଦିଲ୍ଲୀ: ଆପଣଙ୍କ ଆସ୍ଥା ଆମ ଅସ୍ତ୍ର ଭଣ୍ଡାରର ଅନ୍ୟ ଏକ ଅସ୍ତ୍ର। ତେଣୁ ଆପଣଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏକ ସ୍ୱତନ୍ତ୍ର ଶୁଣାଣି ବେଳେ ବରିଷ୍ଠ ଓକିଲ କପିଲ ଶିବଲଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ଜନ୍ତରମନ୍ତରରେ ସିଜେପି ଆନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସର ଅତ୍ୟଧିକ କଟକଣା ଉପରେ ରବିବାର ହୋଇଥିବା ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏଭଳି ଟିପ୍ପଣୀ କରିଛନ୍ତି।

କାରଣ ଗତକାଲି କପିଲ ଶିବଲ ସୁପ୍ରିମକୋର୍ଟଙ୍କ ଉପରେ ନିରାଶା ପ୍ରକାଶ କରିଥିଲେ। ଦେଶରେ ଭୋଟର ତାଲିକାରେ ଅନିୟମିତତା ନେଇ ବାରମ୍ବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ସତ୍ତ୍ୱେ କିଛି ହେଉ ନାହିଁ। ତେଣୁ ଏହି ଅଭିଯୋଗ ଉଠାଇବାର କୌଣସି ମୂଲ୍ୟ ନାହିଁ। ଏଥିରେ ସେ ନିରାଶ ହୋଇଯାଇଛନ୍ତି ବୋଲି ଶିବଲ କହିଥିଲେ। ଆଉ ରବିବାର ହୋଇଥିବା ସ୍ୱତନ୍ତ୍ର ଶୁଣାଣିରେ ଶିବଲଙ୍କୁ ଏଭଳି ପ୍ରତୁଶ୍ରୁତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି “ଆମେ ଏଠାରେ ଶ୍ରୀ ଶିବଲଙ୍କର ଏହି ଅନୁଷ୍ଠାନ ପ୍ରତି ଥିବା ବିଶ୍ୱାସକୁ ପୁନଃସ୍ଥାପନ କରିବାକୁ ଆସିଛୁ... ଯାହାଙ୍କର ଆସ୍ଥା ଆମର ସବୁଠାରୁ ନିର୍ଭରଯୋଗ୍ୟ ଅସ୍ତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇ ରହିଆସିଛି।”

କାହିଁକି ଏମିତି କହିଲେ ଶିବଲ?

ଗୋଟିଏ ଦିନ ପୂର୍ବରୁ, ଶନିବାର ରାଜ୍ୟସଭା ସାଂସଦ କପିଲ ଶିବଲ୍ ଆନ୍ଦୋଳନକାରୀଙ୍କ ଉପରେ ଲଗାଯାଇଥିବା କଟକଣାକୁ ନେଇ ସୁପ୍ରିମକୋର୍ଟରେ ପ୍ରଶ୍ନ ଉଠାଇଥିଲେ। ଏଥିସହିତ ଭୋଟର ତାଲିକାରେ କଥିତ ଅନିୟମିତତା ସମ୍ପର୍କରେ ବାରମ୍ବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସତ୍ତ୍ୱେ ଆଶାନୁରୂପକ ସମାଧାନ ନ ମିଳିବାରୁ ନିରାଶା ବ୍ୟକ୍ତ ମଧ୍ୟ କରିଥିଲେ।

Also Read- ଅଭିଷେକ ବାନାର୍ଜୀଙ୍କୁ କୋଲକାତା ପୋଲିସ ପୁଣି ପଠାଇଲା ନୋଟିସ୍, ସୋମବାର ହେବ ପଚରା ଉଚରା

ସାମ୍ବାଦିକ ସମ୍ମିଳନୀ କରି ଶିବଲ କହିଥିଲେ “ ମୁଁ ସୁପ୍ରିମକୋର୍ଟ ଯାଇ ଯାଇ ଥକି ଗଲିଣି। ମୁଁ ଭାବୁଛି ମୋ ପାଇଁ ଆଉ ସେଠିକି ଯିବାରେ କିଛି ମୂଲ୍ୟ ନାହିଁ।” ଆମେ ଓକିଲ, ତେଣୁ ସୁଖ-ଦୁଃଖ କଥା କହୁନା। ଆମେ ଲୋକଙ୍କ ପାଇଁ ଲଢ଼େଇ କରୁ। ଆନ୍ଦୋଳନକୁ ଦବାଇବା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଥିବା ୧୬୩ ନିଷେଧାଦେଶ ବ୍ୟବହାର ନେଇ ଶିବଲ ପ୍ରଶ୍ନ ଉଠାଇଛନ୍ତି। ସେ ତର୍କ ରଖିଥିଲେ ଯେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜନସାଧାରଣଙ୍କ ପ୍ରତି ବିପଦ ବୋଲି କହି ହେବ ନାହିଁ। ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ।

ଏନେଇ ଶିବଲ ପ୍ରଶ୍ନ କରିଥିଲେ ଯେ ଯଦି କୌଣସି ଗୋଷ୍ଠୀ କିମ୍ବା ଲୋକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି, ତେବେ ଏଥିରେ କିଏ ବିପଦରେ ପଡ଼ୁଛି ? ସୋସାଇଟି ପାଇଁ ଏଥିରେ ବିପଦ ନାହିଁ, ବରଂ ଏଥିରେ ସରକାରଙ୍କ ପାଇଁ ବିପଦ ରହିଛି ବୋଲି ଶିବଲ ଯୁକ୍ତି ଦେଇଛନ୍ତି। ସେହିପରି ଟ୍ରେନ କିମ୍ବା ବିମାନ ଯୋଗେ ଦିଲ୍ଲୀ ଯାଉଥିବା ଲୋକଙ୍କୁ ଅଟକ ରଖିବାକୁ ନେଇ ମଧ୍ୟ ଶିବଲ ପ୍ରଶ୍ନ ଉଠାଇଥିଲେ। ଆପଣ କେଉଁ ନିୟମରେ ଲୋକଙ୍କୁ ଗିରଫ କରୁଛନ୍ତି? କିଭଳି ନିୟମ ଇଏ ? ଆପଣ କେତେବେଳେ କାହାକୁ ଗିରଫ କରୁଛନ୍ତି ? ତାଙ୍କୁ କେଉଁଠି ରଖୁଛନ୍ତି ସେ ବିଷୟରେ ତ ସୂଚନା ଦିଅନ୍ତୁ ବୋଲି ଶିବଲ ଶନିବାର କୋର୍ଟରେ ପ୍ରଶ୍ନ କରିଥିଲେ।

ରାଜଧାନୀ ଦିଲ୍ଲୀରେ ୨୮ ବାଟାଲିଅନ, କେନ୍ଦ୍ରୀୟ ସଶସ୍ତ୍ରବଳ ଓ ଦିଲ୍ଲୀ ପୁଲିସର ଏତେମାତ୍ରାରେ ମୁତୟନ କରାଯାଇଛି। ପୂରା ସହରକୁ କେବେବି ବ୍ୟାରିକେଡ୍ କରାଯାଇପାରିବ ନାହିଁ। ଆନ୍ଦୋଳକାରୀଙ୍କୁ ମାରପିଟ କରାଯାଉଛି। ତାଙ୍କୁ ବସ ଭିତରେ ପୂରାଇ ନିଆଯାଉଛି। ଏଭଳି କଟକଣା କେତେ ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଶିବଲ କହିଥିଲେ?