ଭୁବନେଶ୍ୱର : ବାପାଙ୍କ ରଚୁଥିଲେ ପ୍ଲାନ୍ । କାର୍ଯ୍ୟକ୍ଷମ କରାଉଥିଲେ ଦୁଇ ପୁଅ । ଟାର୍ଗେଟ୍ ରେ ଥିଲା ଦାମୀ ଟ୍ରକ୍ । ମାଲିକମାନଙ୍କୁ ମିଠା ମିଠା କଥା କହୁଥିଲେ । ଏଗ୍ରିମେଣ୍ଟ ନାଁରେ ଗାଡ଼ି ହାତଉଥିଲେ। ତା'ପରେ ଟ୍ରକ୍ ଗାଏବ ହୋଇଯାଉଥିଲା ! ଓଡ଼ିଶାରୁ ଟ୍ରକ୍ ନେଇ ରାଜ୍ୟ ବାହାରେ ବିକ୍ରି କରିଦେଉଥିବାର ରହିଛି ସାଂଘାତିକ ଅଭିଯୋଗ। ଗୋଟିଏ କି ଦୁଇଟି ନୁହେଁ, ୩୦ରୁ ଅଧିକ ଟ୍ରକ୍ ଚୋରି ଅଭିଯୋଗ ହୋଇଛି । ଆଶ୍ଚର୍ଯ୍ୟର କଥା ୨୦୧୯ରୁ ଚାଲିଥିଲା ଏହି ଆନ୍ତଃରାଜ୍ୟ ଟ୍ରକ୍ ଚୋରି ରାକେଟ୍ । ଶେଷରେ ମଞ୍ଚେଶ୍ୱର ଥାନା ପୋଲିସ ପଞ୍ଝାରେ ଦୁଇ ଅଭିଯୁକ୍ତ।

କେନ୍ଦୁଝର ଚମ୍ପୁଆ ଅଞ୍ଚଲରୁ ଦୁଇ ଅଭିଯୁକ୍ତ ପୁଅଙ୍କୁ ଧରିଲା ପୋଲିସ ।  କମିସନରେଟ ପୋଲିସ ହାତରେ ଦୁଇ ଭାଇ ଧରା ପଡ଼ିବା ପରେ ସାମ୍ନାକୁ ଆସିଲା ସାଂଘାତିକ ସତ । ରାଜ୍ୟ ସାରା ଟ୍ରକ ସବୁ ଚୋରି କରି ବାହାର ରାଜ୍ୟରେ କରୁଥିଲେ ବିକ୍ରି । ବିଭିନ୍ନ ଥାନାରେ ଗଦା ଗଦା ମାମଲା ଥିବା ବେଳେ ପୋଲିସର ଆଖିରେ ଧୂଳି ଦେଇ ଉଭାନ ହେଇ ଯାଉଥିଲେ ଦୁଇ ଭାଇ । ଏହି ରାକେଟ୍ ରେ ବାପା ନିରଞ୍ଜନ ମହାପାତ୍ର ଗାଡ଼ି ବିକ୍ରିର ଡିଲ୍ କରୁଥିବା ବେଳେ ବଡ଼ ପୁଅ ଅଶୋକ ମହାପାତ୍ର ଟ୍ରକ୍ ନେଇ ଫେରାର ହେଉଥିଲା । ସାନ ପୁଅ ମନୋଜ ମହାପାତ୍ର ଗାଡ଼ି ମାଲିକଙ୍କ ବିଶ୍ୱାସ ଜିତିବାର ଦାୟିତ୍ୱ ନେଉଥିବା ଅଭିଯୋଗ ହୋଇଛି।

 Also Read- Bata Mangala Temple : ମା’ ବାଟ ମଙ୍ଗଳାଙ୍କ ଅପାର କରୁଣା , କୋରାପୁଟବାସୀଙ୍କୁ ଘଣ୍ଟ ଘୋଡ଼େଇ ରଖିଛନ୍ତି

ତେବେ ଭଞ୍ଜନଗର, ପିପିଲି, ବାଦାମବାଡ଼ି ଓ ବୌଦ୍ଧ ଥାନାରେ ରହିଛି ଏକାଧିକ ମାମଲା । ଗତ ଅଗଷ୍ଟ ମାସରେ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଟ୍ରକ୍ ଚୋରି ହେବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ସିସିଟିଭି ଫୁଟେଜ୍ ଯାଞ୍ଚ ସହ ବିଭିନ୍ନ ତଥ୍ୟକୁ ଆଧାର କରି କେନ୍ଦୁଝର ଚମ୍ପୁଆରେ ପହଞ୍ଚିଥିଲା ପୋଲିସ । ବାପା - ଦୁଇ ପୁଅ ଧରା ପଡ଼ିବା ପରେ, ସେମାନଙ୍କୁ ସତ ଓଗାଳିବାକୁ ଲାଗି ପଡ଼ିଛି ପୋଲିସ୍ । ସେପଟେ ଏବେ ଏହି ରାକେଟ୍ ରେ ଆଉ କିଏ କିଏ ସାମିଲ, ଚୋରି ଟ୍ରକ୍ କେଉଁଠି ବିକ୍ରି ହୋଇଛି ଏବଂ ଟଙ୍କା କାରବାରର ପୂରା ହିସାବ କ’ଣ, ତାହାର ଖୋଳତାଡ଼ କରୁଛି ମଞ୍ଚେଶ୍ୱର ଥାନା ପୋଲିସ।