ଏମଜିଏଏମ ମିନେରାଲ୍ସ ଲିମିଟେଡର ପଟାବେଡା ଲୌହ ଖଣି ପକ୍ଷରୁ ବନ ମହୋତ୍ସବ ସପ୍ତାହର ଉଦଯାପନୀ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥିଲା। ପରିବେଶ ସଂରକ୍ଷଣ, ବନୀକରଣ ଏବଂ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ବନ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବଣାଇ ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସର (DFO) ଯଶବନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବଣାଇ ବନଖଣ୍ଡର ସହକାରୀ ବନ ସଂରକ୍ଷକ (ACF) ଦୁର୍ଯ୍ୟୋଧନ ଜେରାଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ କୋଇଡ଼ା ବନାଞ୍ଚଳ ରେଞ୍ଜର ଅସିତ କୁମାର ସାହୁ ଏବଂ ଫରେଷ୍ଟର ସେନାପତି ପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଏମଜିଏମ ମିନେରାଲ୍ସ ଲିମିଟେଡ ପକ୍ଷରୁ ବରିଷ୍ଠ ମହାପ୍ରବନ୍ଧକ (ଖଣି) ହିମାଂଶୁ ଶେଖର ପଟ୍ଟନାୟକ, ଖଣି ପରିଚାଳକ ଚତୁର୍ଭୁଜ ସାହୁ ଏବଂ ଏଜିଏମ୍ (ଖଣି) ସତ୍ୟଜିତ ପଣ୍ଡାଙ୍କ ସହ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମଣ୍ଡୋଯୋଡ଼ା ଉଚ୍ଚବିଦ୍ୟାଳୟ, ଗଣୁଆ ସେବାଶ୍ରମ ଓ କଲମଙ୍ଗ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସଫଳ କରିଥିଲା।

ବନ ମହୋତ୍ସବ ସପ୍ତାହ ଅବସରରେ ଆୟୋଜିତ ପ୍ରବନ୍ଧ ଲେଖନ, କୁଇଜ୍, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ପୁରସ୍କୃତ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସ୍ଥାନୀୟ ଗ୍ରାମବାସୀଙ୍କୁ ପ୍ରାୟ ୫୦ରୁ ଅଧିକ ଚାରା ବଣ୍ଟନ କରାଯାଇଥିଲା। ଏଥି ସହ ପଟାବେଡା ଗ୍ରାମର ଜମାଦାର କଳାଙ୍କ ଜମିରେ ନୂତନ ଆମ୍ବ ବଗିଚା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ୩୦ଟି ଆମ୍ବଚାରା ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ରୋପଣ କରାଯାଇଥିଲା।

କାର୍ଯ୍ୟକ୍ରମ ଶେଷରେ ଖଣି କର୍ତ୍ତୃପକ୍ଷ ପ୍ରତିବର୍ଷ ଭଳି ଏବର୍ଷ ସପ୍ତାହର ସବୁଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରି ସବୁଜ ପରିବେଶ ଗଠନ ଏବଂ ପରିବେଶ ସଂରକ୍ଷଣ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ସଂକଳ୍ପ ବ୍ୟକ୍ତ କରିଥିଲେ।