ନୂଆଦିଲ୍ଲୀ ୨୦।୦୫; ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ କମ୍ପାନି ''ମେଟା''। ଏବେ ଏଥିରୁ ପୁଣି ଥରେ ବଡ଼ ଧରଣର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ ହୋଇଛି । ଏହି ପଦକ୍ଷେପ ଦ୍ୱାରା କମ୍ପାନିର ବିଶ୍ୱସ୍ତରୀୟ କାର୍ଯ୍ୟବଳର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୮,୦୦୦ କର୍ମଚାରୀ ପ୍ରଭାବିତ ହେବେ ।  ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ମେଟା ନିଜର ସିଙ୍ଗାପୁର ହବ୍ରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାନୀୟ ସମୟ ଭୋର ୪ଟାରେ ଇମେଲ୍ ପଠାଇ ଏହି ସୂଚନା ଦେବା ଆରମ୍ଭ କରିଛି ।  ଆମେରିକା, ବ୍ରିଟେନ ସମେତ ବିଭିନ୍ନ ଅଞ୍ଚଳର କର୍ମଚାରୀଙ୍କୁ ଆଜି ଘରୁ କାମ ( ଓ୍ବାର୍କ  ଫ୍ରମ୍ ହୋମ୍) କରିବାକୁ କୁହାଯାଇଛି  ।

କମ୍ପାନୀ ପକ୍ଷରୁ ପ୍ରାୟ ୬,୦୦୦ ନୂତନ ନିଯୁକ୍ତି ପଦବୀକୁ ମଧ୍ୟ ବନ୍ଦ କରିଦିଆଯାଇଛି । ବିଶେଷ କରି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟ ଟିମ୍ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି। ମେଟାର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଜାନେଲ ଗେଲଙ୍କ ଏକ ଆଭ୍ୟନ୍ତରୀଣ ସୂଚନା ଅନୁଯାୟୀ, କମ୍ପାନି ଏକ ଛୋଟ ଏବଂ ଅଧିକ ପ୍ରଭାବଶାଳୀ ''ଫ୍ଲାଟର ଷ୍ଟ୍ରକଚର'' ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଚାକିରି କାଟିବା ସହ କମ୍ପାନି ପ୍ରାୟ ୭,୦୦୦ କର୍ମଚାରୀଙ୍କୁ ନୂତନ ''ଏଆଇ-ନେଟିଭ୍'' ଟିମରେ ସାମିଲ କରିବାକୁ ଯାଉଛି। ମାର୍କ ଜୁକରବର୍ଗଙ୍କ ନେତୃତ୍ୱରେ ମେଟା ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ୧୨୫ ବିଲିୟନରୁ ୧୪୫ ବିଲିୟନ ଡଲାର (ପ୍ରାୟ ୧୦ରୁ ୧୨ ଲକ୍ଷ କୋଟି ଟଙ୍କା) ବିନିଯୋଗ କରିବାକୁ ଯୋଜନା କରୁଛି।

ଏହି ବଡ଼ ନିଷ୍ପତ୍ତି ପୂର୍ବରୁ କର୍ମଚାରୀଙ୍କ ମନୋବଳ ହ୍ରାସ ପାଇଥିବା ବେଳେ, କମ୍ପାନୀ ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖିବା ପାଇଁ ବ୍ୟବହୃତ ହେଉଥିବା ''ମାଉସ୍-ଟ୍ରାକିଂ ଓ କୀ-ଷ୍ଟ୍ରୋକ'' ସଫ୍ଟୱେରକୁ ନେଇ ପ୍ରାୟ ୧,୦୦୦ରୁ ଅଧିକ କର୍ମଚାରୀ ଏହା ବିରୋଧରେ ଆବେଦନ କରିଛନ୍ତି ।  କେବଳ ମେଟା ନୁହେଁ, ବରଂ ଓରାକଲ୍ (୩୦,୦୦୦ ଛଟେଇ), ସିସ୍କୋ, ମାଇକ୍ରୋସଫ୍ଟ ଓ ଆମାଜନ ଭଳି ବଡ଼ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟ ଏଆଇ ଉପରେ ଅଧିକ ଫୋକସ୍ କରିବା ପାଇଁ ନିଜର କର୍ମଚାରୀ ସଂଖ୍ୟା କମାଉଛନ୍ତି।

Also Read-ମେଲୋନିଙ୍କୁ 'ମେଲୋଡି' ଚକୋଲେଟ ଗିଫ୍ଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି; ହସି ହସି ଧନ୍ୟବାଦ କହିଲେ ଇଟାଲୀ PM