ଅଯୋଧ୍ୟା: ଶ୍ରୀ ରାମ ଜନ୍ମଭୂମି ପରିସର ମନ୍ଦିରମାନଙ୍କରୁ ଦାନ ଚୋରି ପ୍ରକରଣରେ ୮ ଜଣ ଗିରଫ ହେବା ଓ ଟ୍ରଷ୍ଟିଙ୍କ ବିରୋଧରେ ଗୁରୁତର ଅଭିଯୋଗ ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବୈଠକ ସୋମବାର ଅପରାହ୍ନରେ ଆରମ୍ଭ ହୋଇଛି। ବୈଠକରେ ମହନ୍ତ ନୃତ୍ୟ ଗୋପାଲ ଦାସ ଅଧ୍ୟକ୍ଷତା କରୁଛନ୍ତି। ଟ୍ରଷ୍ଟ ଅଧ୍ୟକ୍ଷ ନୃତ୍ୟ ଗୋପାଲ ଦାସ ଗତ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି। ତଥାପି ସେ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଦାନ ଚୋରି ପ୍ରକରଣରେ ସେ ଆଜି ଏକ ପତ୍ର ମଧ୍ୟ ଜାରି କରିଛନ୍ତି। ଏଥିରେ ସେ ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ବ୍ୟକ୍ତ କରି କହିଛନ୍ତି ଯେ ଏହି ଘଟଣାରେ ଯିଏ ବି ଜଡିତ ତାଙ୍କୁ କଠୋର ଦଣ୍ଡ ମିଳିବ।

ମହନ୍ତ ନୃତ୍ୟଗୋପାଲ ଦାସଙ୍କ ଅଧ୍ୟକ୍ଷାତରେ ଅନୁଷ୍ଠିତ ହେଉଥିବା ବୈଠକରେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମିଟିଂର ଏଜେଣ୍ଡା ରଖିଛନ୍ତି। ଏଥିରେ ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫା ଉପରେ ବିଚାର ପ୍ରସ୍ତାବ ମଧ୍ୟ ରଖିଛନ୍ତି। ଟ୍ରଷ୍ଟରେ ମୋଟ ୧୫ ଜଣ ସଦସ୍ୟ ଅଛନ୍ତି। ଏଥିରେ ଅଯୋଧ୍ୟା ରାଜା ବିମଲେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ପରଲୋକ କାରଣରୁ ଗୋଟିଏ ପଦ ରିକ୍ତ ରହିଛି। ତେବେ ବୈଠକରେ ଚମ୍ପତ ରାୟ ଓ ଅନିଲ ମିଶ୍ର ଯୋଗ ଦେଇ ନାହାନ୍ତି। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରୁ ଇସ୍ତଫା ଦେଇଥିବାରୁ ଚମ୍ପତ ରାୟ ଓ ଅନିଲ ମିଶ୍ର ବୈଠକକୁ ଆସି ନାହାନ୍ତି। ତେବେ ଶୁଣା ଯାଉଛି କିଛି ଟ୍ରଷ୍ଟିମାନେ ସେମାନଙ୍କ ବୈଠକରେ ଯୋଗଦାନକୁ ବିରୋଧ କରିଥିଲେ। ସର୍ତ୍ତ ରଖିଥିଲେ ବୈଠକ ତେବେ ଯାଇ ହେବ ଯଦି ଦୁଇ ଜଣ ବୈଠକରୁ ବାହାରେ ରହିବେ।

ଟ୍ରଷ୍ଟ ସଦସ୍ୟଙ୍କ ଚାପ କାରଣରୁ ଚମ୍ପତ ରାୟ ଓ ଅନିଲ ମିଶ୍ର ବୈଠକରୁ ବାହାରେ ଅଛନ୍ତି। ରାମ ମନ୍ଦିର ଦାନ ଚୋରି ଓ ହେରଫେର ମାମଲା ବିବାଦରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏହି ବୈଠକର ମୁଖ୍ୟ ଏଜେଣ୍ଡା ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ସଦସ୍ୟ ଡ.ଅନିଲ କୁମାର ମିଶ୍ରଙ୍କ ଇସ୍ତଫା ପତ୍ର ଉପରେ ବିଚାର। ଏହା ଉପରେ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରେ। ତେବେ ବୈଠକରେ ଯୋଗ ଦେଉ ନଥିଲେ ମଧ୍ୟ ଚମ୍ପତ ରାୟ ରାମ ମନ୍ଦିର ପରିସରକୁ ପହଞ୍ଚିଛନ୍ତି। ବୈଠକରେ ଟ୍ରଷ୍ଟି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ବାସୁଦେବାନନ୍ଦ ସରସ୍ୱତୀ, ସ୍ୱାମୀ ପରମାନନ୍ଦ ଓ କୃଷ୍ଣ ମୋହନ ତଥା କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ଉପସ୍ଥିତ ଅଛନ୍ତି। ତେବେ ନୃପେନ୍ଦ୍ର ମିଶ୍ର ଓ ବରିଷ୍ଠ ଅଧିବକ୍ତା ତଥା ଟ୍ରଷ୍ଟି କେ.ପରାସରନ ଭର୍ଚୁଆଲି ବୈଠକରେ ଯୋଗ ଦେଇଛନ୍ତି।

ଏହା ଛଡା ବୈଠକରେ ଉତ୍ତରପ୍ରଦେଶ ସରକାରଙ୍କ ମୁଖ୍ୟ ଶାସନ ସଚିବ (ଗୃହ) ସଞ୍ଜୟ ପ୍ରସାଦ ଭିଡିଓ କନଫରେନସିଂ ମାଧ୍ୟରେ ବୈଠକରେ ଯୋଗ ଦେଇଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି ତାର ପ୍ରାରମ୍ଭିକ ରିପୋର୍ଟ ସଞ୍ଜୟ ପ୍ରସାଦଙ୍କୁ ପ୍ରଦାନ କରିଥିଲେ। ସଞ୍ଜୟ ପ୍ରସାଦ ରାମମନ୍ଦିର ଟ୍ରଷ୍ଟର ଜଣେ ପଦସ୍ଥ ସଦସ୍ୟ ଏଣୁ ଆଶା କରାଯାଉଛି ବୈଠକରେ ଏସଆଇଟିର ପ୍ରାରମ୍ଭିକ ରିପୋର୍ଟ ଉପରେ ମଧ୍ୟ ଚର୍ଚ୍ଚା ହେବ। ଜୁନ ୫ ତାରିଖରେ ମନ୍ଦିର ଦାନ ଚୋରି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଜୁନ ୧୩ରେ ଏସଆଇଟି ଗଠନ ଓ ପ୍ରାରମ୍ଭିକ ଯାଞ୍ଚ ପରେ ଏପର୍ଯ୍ୟନ୍ତ ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଛି।