ନୂଆଦିଲ୍ଲୀ: ଆମେରିକୀୟ ଗଣମାଧ୍ୟମ ଜଗତର ଦିଗ୍ଗଜ ତଥା CNN ପ୍ରତିଷ୍ଠାତା ଟେଡ୍ ଟର୍ନରଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ଟର୍ନର ଏଣ୍ଟରପ୍ରାଇଜେସ୍ ପକ୍ଷରୁ ତାଙ୍କ ପରଲୋକ ନେଇ ସ୍ପଷ୍ଟ କରାଯାଇଛି। 

ସୂଚନା ଯୋଗ୍ୟ, ଟ୍ରେଡ ଟର୍ନରଙ୍କୁ ସାରା ବିଶ୍ୱରେ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍ ମଡେଲ୍ ଆରମ୍ଭ କରିବାର ଶ୍ରେୟ ଦିଆଯାଏ। CNN ପ୍ରତିଷ୍ଠା କରିବା ସମୟରେ ଏହି ୨୪ ଘଣ୍ଟିଆ ମଡେଲକୁ ପସନ୍ଦ କରାଯାଉନଥିଲା। ହେଲେ ୧୯୮୦ରେ ଆରମ୍ଭ ହୋଇଥିବା ଏହି ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ସମୟ ସହ ବିଶ୍ବ ଗଣମାଧ୍ୟମର ଧାରଣା ବଦଳାଇଦେଇଥିଲା ଏବଂ ୧୯୦୦- ୯୧ରେ ଗଲ୍ଫ ଯୁଦ୍ଧର ୨୪ ଘଣ୍ଟିଆ ପ୍ରସାରଣ କରି ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରିଥିଲା। ମିଡିଆ ଶିଳ୍ପର ଏହି ଅଗ୍ରଣୀ ଟର୍ନର, ଓହାଇଓରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସ୍ପଷ୍ଟବାଦୀ ସ୍ୱଭାବ ପାଇଁ ତାଙ୍କୁ ‘ମାଉଥ ଅଫ୍ ଦି ସାଉଥ’ (ଦକ୍ଷିଣର ମୁଖ) ବୋଲି ଡାକନାମ ଦିଆଯାଇଥିଲା।

CNN ପ୍ରଥମ ଥର ପାଇଁ ବିଶ୍ୱକୁ ଦେଖାଇଲା ଯେ, ଖବର ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୀମିତ ନୁହେଁ। ବରଂ ନିରନ୍ତର ଲାଇଭ୍ ବାସ୍ତବ ସମୟରେ ଦେଖାଯାଇପାରିବ। ଏହି ପରିବର୍ତ୍ତନ କେବଳ ସାମ୍ବାଦିକତାର ଦିଗକୁ ପରିବର୍ତ୍ତନ କରିନଥିଲା ବରଂ ଦର୍ଶକମାନେ ଖବର ଦେଖିବା ଏବଂ ବୁଝିବା ଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଥିଲା।

କାର୍ଟୁନ ଏବଂ ସିନେମା ଚ୍ୟାନେଲ ମଧ୍ୟ ଆଣିଥିଲେ ଟେଡ୍ ଟର୍ନର

ଟେଡ୍ ଟର୍ନର କେବଳ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ସୀମିତ ନଥିଲେ। ସେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ମଧ୍ୟ ଯଥେଷ୍ଟ ପ୍ରସାରିତ ହୋଇଥିଲେ। ତାଙ୍କ ବ୍ୟବସାୟ ସାମ୍ରାଜ୍ୟରେ କେବୁଲ ଟେଲିଭିଜନର ପ୍ରଥମ ସୁପରଷ୍ଟେସନ, ସିନେମା ଏବଂ କାର୍ଟୁନ ଚ୍ୟାନେଲ ଏବଂ ପ୍ରମୁଖ କ୍ରୀଡା ଫ୍ରାଞ୍ଚାଇଜ୍, ଆଟଲାଣ୍ଟା ବ୍ରେଭସ୍ ଅନ୍ତର୍ଭୁକ୍ତ ଥିଲା।

ତାଙ୍କ ଦୃଷ୍ଟିକୋଣ ଆଧୁନିକ ସାମ୍ବାଦିକତାକୁ ଆକାର ଦେଇଥିଲା। ୨୪ ଘଣ୍ଟାର ଖବର ମଡେଲ ବିଶ୍ୱକୁ ଏକ ଏପରି ବ୍ୟବସ୍ଥା ଦେଇଥିଲା ଯେଉଁଠାରେ ଲୋକମାନେ ଯେକୌଣସି ଘଟଣା ତୁରନ୍ତ ଦେଖିପାରିବେ ଏବଂ ଲାଇଭ୍ କରିପାରିବେ। ଏହି ମଡେଲ ଆଜି ବିଶ୍ୱର ପ୍ରାୟ ପ୍ରତ୍ୟେକ ପ୍ରମୁଖ ଖବର ଚ୍ୟାନେଲର ମୂଳଦୁଆ ପାଲଟିଛି।

୧୯୯୧ରେ ବର୍ଷର ଶ୍ରେଷ୍ଠ ପୁରୁଷ ପୁରସ୍କାରରେ ହୋଇଥିଲେ ସମ୍ମାନିତ

୧୯୯୧ ମସିହାରେ, ଟାଇମ୍ ପତ୍ରିକା ଟର୍ନରଙ୍କୁ "ବର୍ଷର ଶ୍ରେଷ୍ଠ ପୁରୁଷ" ଭାବରେ ସମ୍ମାନିତ କରିଥିଲା। ସେ ସମୟରେ ତାଙ୍କୁ ଏପରି ଜଣେ ବ୍ୟକ୍ତି ଭାବରେ ପ୍ରଶଂସା କରାଯାଇଥିଲା, ଯିଏ ବିଶ୍ୱ ଘଟଣାକ୍ରମକୁ ପ୍ରଭାବିତ କରିଥିଲେ ଏବଂ ୧୫୦ଟି ଦେଶର ଦର୍ଶକଙ୍କୁ ଇତିହାସର ପ୍ରତ୍ୟକ୍ଷ ବିବରଣୀ ଦେଇଥିଲେ। ଟେଡ୍ ଟର୍ନରଙ୍କ ଅବଦାନ ଗଣମାଧ୍ୟମ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଭାବରେ ସର୍ବଦା ମନେ ରହିବ।

ଦାନଶୀଳତା ଏବଂ ବ୍ୟବସାୟ

ବ୍ୟବସାୟ ବ୍ୟତୀତ, ଟର୍ନର ଜଣେ ଦାନଶୀଳ ବ୍ୟକ୍ତି ମଧ୍ୟ ଥିଲେ। ସେ ୟୁନାଇଟେଡ୍ ନେସନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଥିଲେ – ଏହା ଜାତିସଂଘ ଏବଂ ଏହାର କାର୍ଯ୍ୟକଳାପକୁ ସମର୍ଥନ କରିବାରେ ସାହାଯ୍ୟ କରୁଥିଲା। ସିସିଏନର ରିପୋର୍ଟ ଅନୁସାରେ, ଟର୍ନର ଜଣେ ସମାଜସେବୀ ମଧ୍ୟ ଥିଲେ। ସେ ବିଶ୍ୱବ୍ୟାପୀ ପରମାଣୁ ଅସ୍ତ୍ରଶସ୍ତ୍ରର ନିରାକରଣ ପାଇଁ ଚେଷ୍ଟା କରିଥିଲେ ଏବଂ ଜଣେ ସଂରକ୍ଷଣବାଦୀ ଥିଲେ । ସେ କମ୍ ବୟସରେ ପରିବେଶ ସୁରକ୍ଷାର ଆବଶ୍ୟକତା ବିଷୟରେ ମଣିଷଙ୍କୁ ଅବଗତ କରାଇବା ପାଇଁ ପ୍ରସିଦ୍ଧ। ଟର୍ନର ପିଲାଙ୍କ ଶିକ୍ଷା ପାଇଁ କ୍ୟାପଟେନ୍ ପ୍ଲାନେଟ୍ କାର୍ଟୁନ ମଧ୍ୟ ତିଆରି କରିଥିଲେ।