ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଦେବୀତି ଗ୍ରାମସ୍ଥିତ ଜୟ ମାତା ଦି ଫଙ୍କସନ୍ ହଲରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭୦ ଜଣଙ୍କୁ ଅଟକ ରଖିଛି । ଏହି ଚଢ଼ାଉରେ ନଗଦ ୧୨ ଲକ୍ଷ ଟଙ୍କା ସହ ୧୨ଟି କାର୍, ୧୦ଟି ବାଇକ୍ ଏବଂ ୬୦ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଫଙ୍କସନ୍ ହଲ୍‌ରେ ବଡ଼ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଏହି ଚଢ଼ାଉ କରିଥିଲା । ଅଟକ ଥିବା ଜୁଆଡ଼ିଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ର ପ୍ରଦେଶର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଅଟକ ଜୁଆଡ଼ିଙ୍କ ମଧ୍ୟରେ କିଛି ଜଣ ଆନ୍ଧ୍ର ପ୍ରଦେଶ ପୋଲିସ ଅଧିକାରୀ ଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ବୟାନ ମିଳିପାରି ନାହିଁ । ତେବେ ଏଠାରେ ଜୁଆଡିଙ୍କ ପାଇଁ ମଦ ଆସର ସହ ଅନ୍ୟ ସମସ୍ତ ବ୍ୟବସ୍ଥା କରାଯିବା ସହ କାସିନୋ ଭଳି ଟଙ୍କା କାରବାରକୁ ଲୁଚାଇବା ପାଇଁ ପ୍ଲାଷ୍ଟିକ କଏନ୍ ବ୍ୟବହାର କରାଯାଉଥିଲା । ବିପୁଳ ପରିମାଣରେ ପ୍ଲାଷ୍ଟିକ୍ କଏନ୍ ଜବତ କରିଛି ପୋଲିସ । ପ୍ଲାଷ୍ଟିକ୍ କଏନର ମୂଲ୍ୟାଙ୍କନ କଲେ, ଜବତ ଟଙ୍କାର ମୂଲ୍ୟ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।

ପୋଲିସ ହଲ୍‌ ମାଲିକ ଏବଂ ଜୁଆ ଖେଳର ଆୟୋଜନ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା ଜାରି ରଖିଛି । ସଂପୃକ୍ତ ହଲକୁ ମଧ୍ୟ ସିଜ୍ କରିଛି ପୋଲିସ । ଏତେ ସଂଖ୍ୟକ ଲୋକଙ୍କ ସମ୍ପୃକ୍ତି ଏବଂ ବିପୁଳ ପରିମାଣର ଟଙ୍କା ସହ ଗାଡ଼ି ଜବତ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ପୋଲିସର ତଦନ୍ତ ଜାରି ରହିଛି ।