ବାରିପଦା: ବାରିପଦା ସହର ସ୍ଥିତ ଭଞ୍ଜପୁର ପୋଲିସ ରିଜର୍ଭ କଲୋନୀରେ ଥିବା ଏକ ସରକାରୀ ଆବାସିକ କ୍ୱାର୍ଟର୍ସର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ। ଏଥରେ ଘରେ ଥିବା ବହୁ ମୂଲ୍ୟବାନ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ସୌଭାଗ୍ୟବସତଃ ଘରେ ସେହି ସମୟରେ କେହି ନଥିବାରୁ କୌଣସି ଜୀବନ ହାନି ହୋଇନାହିଁ। ଉକ୍ତ ଘରଟି ହାବିଲଦାର ପୀତାମ୍ବର ମାରାଣ୍ଡିଙ୍କର ।

ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ଗେଷ୍ଟ ରୁମରେ ନିଆଁ ଲାଗିଯାଇଥିଲା ଏବଂ ଅଳ୍ପ ସମୟ ମଧ୍ୟରେ ତାହା ଉଗ୍ର ରୂପ ଧାରଣ କରିଥିଲା। ତେବେ ଘରର ଝରକାରେ ନିଆଁ ଓ ଧୂଆଁ ଦେଖି ସ୍ଥାନୀୟ ବାସିନ୍ଦା ତୁରନ୍ତ ବାରିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

Also Read: ଭିଣୋଇକୁ ପିଟି ପିଟି ମାରିଦେବା ଘଟଣା: ଅଭିଯୁକ୍ତ ଶାଳକ ଗିରଫ

ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ବିପତ୍ତି ଓ ଧନଜୀବନ ହାନି ଟଳିଯାଇଥିବା ବେଳେ, ସମଗ୍ର କଲୋନୀରେ ଏହାକୁ ନେଇ କିଛି ସମୟ ପାଇଁ ଚାପା ଉତ୍ତେଜନା ଓ ଆତଙ୍କ ଖେଳିଯାଇଥିଲା।