ବଡ଼ବିଲ: ବଡ଼ବିଲ ଥାନା ଉଲିବୁରୁ ବୁରୁ ସାହିରେ ଭିଣୋଇକୁ ପିଟି ପିଟି ମାରିଦେବା ଘଟଣାରେ ଫେରାର ଅଭିଯୁକ୍ତ ଶାଳକ ଅଜୟ ତିରିଆକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଭଉଣୀ- ଭିଣୋଇଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆସି ହତ୍ୟା କାଣ୍ଡ ଭିଆଇଥିଲା ଶାଳକ ଅଜୟ ।

ସୂଚନାଥାଉକି, ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଅଜୟ, ଭିଣୋଇ ବନମାଳୀଙ୍କୁ ବୁଝାଉଥିବା ବେଳେ କଥା କଟାକଟି ହୋଇଥିଲା। ବଚସା ଉଗ୍ର ରୂପ ନେବାରୁ ଉତକ୍ଷିପ୍ତ ହୋଇ ଅଜୟ ଭିଣୋଇଙ୍କୁ ଆଖିବୁଜା ବିଧା, ଗୋଇଠା ମାରିଥିଲେ। ଏହି ସମୟରେ ବନମାଳୀ ଭାରସାମ୍ୟ ହରାଇ ଘରର ଏକ କାଠ ବନ୍ଧରେ ପିଟି ହୋଇଯିବାରୁ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ରାତି ପ୍ରାୟ ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଶାଳକ ରାତିଅଧରେ ଫେରାର ହୋଇଯାଇଥିଲା। ପୋଲିସ୍ ତାକୁ ଖୋଜି ଗିରଫ କରିବାରେ ସକ୍ଷମ ହୋଇଛି । ଅଭିଯୁକ୍ତ ଅଜୟର ଘର ଯୋଡ଼ା ଥାନା ଦଣ୍ଡାଗୁଟୁ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଅଜୟକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।