କଟକ: ପୂର୍ବ ଶତ୍ରୁତାରୁ ରକ୍ତାକ୍ତ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ଗଲା ଜଣଙ୍କ ଜୀବନ। କଟକ ପୁରୀଘାଟ ଥାନା ଅନ୍ତର୍ଗତ ଗଣେଶଘାଟ ଅଞ୍ଚଳରେ ଆଜି ସନ୍ଧ୍ୟାରେ ଘଟିଛି ଏଭଳି ଏକ ଭୟଙ୍କର ଘଟଣା। ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼ ଓ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପୁରୀଘାଟ ବୁରୁଜସାହି ଓ ଗଣେଶଘାଟ ସାମଲ ସାହି ମଧ୍ୟରେ ପୂର୍ବରୁ କିଛି ବିବାଦ ରହିଥିଲା। ଏହି ବିବାଦକୁ ନେଇ ଗତକାଲି ରାତିରେ ମଧ୍ୟ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ତେବେ ଆଜି ସନ୍ଧ୍ୟାରେ ଏହି ବିବାଦ ଉଗ୍ର ରୂପ ନେଇଥିଲା।

ହୋଟେଲ ବ୍ଲୁ ଲାଗୁନ୍ ଛକ ନିକଟରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ମୁହାଁମୁହିଁ ହେବା ପରେ ଟେକାପଥର ମାଡ଼ ଆରମ୍ଭ ହୋଇଥିଲା। ପରେ ଏହା ଏକ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ।

ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସଂଘର୍ଷର ପ୍ରକୃତ କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସର ପରବର୍ତ୍ତୀ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।