କଣ୍ଟାବାଞ୍ଜି: ପ୍ରେମର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ। ଠିକ ସମୟରେ ଯୁବତୀଙ୍କୁ ଛାଡ଼ି ଫେରାର ମାରିଲେ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କକୁ ନେଇ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ଏହି ଅଭିଯୋଗରେ ମୁରିବାହାଲ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ତୁରେକେଲା ଥାନା ମୁରିବାହାଲ ଗ୍ରାମର ଡଗ୍ରେଶ୍ୱର ନାଗ ଓରଫ ରଞ୍ଜିତ।

ପୋଲିସ ସୂଚନା ଅନୁସାରେ, ମୁରିବାହାଲ ଥାନା ଗଁରେଇ ଗ୍ରାମର ଜଣେ ଯୁବତୀ ନିଜ ପରିବାର ସହ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ। ସେଠାରେ ଡଗ୍ରେଶ୍ୱର ନାଗଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଏହି ପରିଚୟ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଅଭିଯୋଗ ଅନୁସାରେ, ବିବାହର ପ୍ରତିଶ୍ରୁତି ଦେଇ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା ଏବଂ ସେମାନେ ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହୁଥିଲେ।

ଦାଦନରୁ ଫେରିବା ପରେ କିଛି ଦିନ ଗଁରେଇ ଗ୍ରାମରେ ରହିଥିଲେ ଉଭୟ। କିନ୍ତୁ ପରେ ଡଗ୍ରେଶ୍ୱର ପୁଣି କାମ କରିବାକୁ ଯାଉଛି ବୋଲି କହି ଯୁବତୀଙ୍କୁ ଛାଡ଼ି ଚାଲିଯାଇଥିଲେ। ଏହା ପରେ ଯୁବତୀ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ ଏବଂ ତାଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ।

ନ୍ୟାୟ ପାଇଁ ଯୁବତୀ ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଅଭିଯୁକ୍ତ ଡଗ୍ରେଶ୍ୱର ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପ୍ରେମର ନାଁରେ ପ୍ରତାରଣା ଓ ବିବାହର ପ୍ରତିଶ୍ରୁତି ଦେଇ ଠକେଇ କରାଯାଇଥିବା ଅଭିଯୋଗକୁ ନେଇ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।