ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଭୀଷଣ ଗରମ ପଡିଛି। ଏଥି ମଧ୍ୟରେ ଭାରତ ଗସ୍ତରେ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକା ବିଦେଶମନ୍ତ୍ରୀ ମାର୍କୋ ରୁବିୟୋ ଦିଲ୍ଲୀ ପାଗକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କହିଛନ୍ତି ମିଆମିରେ ମଧ୍ୟ ଗରମ ହୁଏ ହେଲେ ଏଠି ମଧ୍ୟ ଗରମ କମ ନୁହେଁ। ରାଜଧାନୀ ଦିଲ୍ଲୀରେ ଦିନର ତାପମାତ୍ରା ଏବେ ୪୪ ଡିଗ୍ରି ସେଲସିୟସ୍ ପାର କରିଯାଇଛି। ମାର୍କୋ ରୁବିୟୋ ଏହି ଟିପ୍ପଣୀ ଦିଲ୍ଲୀରେ ଆମେରିକା ଦୂତାବାସର ନୂଆ ସପୋର୍ଟ ଆନେକ୍ସ ଭବନ ଉଦଘାଟନ ଅବସରରେ ଦେଇଛନ୍ତି।

ମାର୍କୋ ରୁବିୟୋ ୪ ଦିବସୀୟ ଭାରତ ଗସ୍ତରେ ଆସିଥିବା ବେଳେ ଏଠାକାର ଗ୍ରୀଷ୍ମ ପ୍ରବାହ ତାଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି। ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଆଜି ଏଠାରେ ମୋର ଉପସ୍ଥିତି ବାସ୍ତବିକ ମୋ ଲାଗି ଏକ ସମ୍ମାନର କଥା। ହେଲେ ମୁଁ ଏହାକୁ ସଂକ୍ଷିପ୍ତ କରିବାକୁ ଚାହୁଁଛି, କାରଣ ଏଠାରେ ବହୁତ ଗରମ। ଋବିୟୋ କହିଛନ୍ତି ଯେ ମୁଁ ମିଆମିରେ ରହେ, ସେଠାରେ ଗରମ ଓ ଗୁଳଗୁଳି ହୁଏ। ହେଲେ ଏହା ସମୟ ଉପରେ ନିର୍ଭର କରେ। ଏତେବେଳକୁ ପାଗ ଥଣ୍ଡା ରହିବା କଥା। ସେ କହିଛନ୍ତି ଯେ ମୁଁ ଚାହୁଁନି ଆମେ ଏଠାରେ ଆବଶ୍ୟକତା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବା, ହେଲେ ମୁଁ କେବଳ ଏତିକି କହିବାକୁ ଚାହିଁବି ଏହି ଫ୍ୟାସେଲିଟି ଆମେରିକୀୟଙ୍କ ପଇସା ସଞ୍ଚୟ କରିଛି। କାରଣ ଏହା ଦ୍ୱାରା ଆମେ ଆହୁରି କୁଶଳ ହେବୁ।

ଋବିୟୋ କହିଛନ୍ତି ଯେ ନୂଆ ପ୍ରଣାଳୀ ବ୍ୟବସାୟୀକ ଯାତ୍ରୀ ଓ ସେହି ଲୋକଙ୍କୁ ପ୍ରାଥମିକତା ଦେବ ଯେଉଁମାନଙ୍କ ଯାତ୍ରା ଆମେରିକା ସହିତ ଆର୍ଥିକ ଓ ରଣନୈତିକ ସମ୍ପର୍କକୁ ମଜଭୁତ କରିବାରେ ସହାୟକ ହେବ। ସେ କହିଛନ୍ତି ଯେ ଭାରତୀୟ କମ୍ପାନୀମାନେ ଆମେରିକାରେ ୨୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାର୍କୋ ରୁବିୟୋ ଶନିବାର ପୂର୍ବାହ୍ନରେ କୋଲକାତାରେ ଅବତରଣ କରିଥିଲେ। ଏହା ପରେ ସେ ତାଙ୍କର ୪ ଦିବସୀୟ ଭାରତ ଗସ୍ତ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଏହି ଗସ୍ତକାଳରେ ସେ ଜୟପୁର ଓ ଆଗ୍ରା ଯାଇ ପାରନ୍ତି।