ନୂଆଦିଲ୍ଲୀ, ୧୦ /୦୩: ଦେଶର ପ୍ରମୁଖ ସହରମାନଙ୍କରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି। ଏହି ସଙ୍କଟ ଯୋଗୁଁ ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ସହରରେ ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ ହେବା ସ୍ଥିତିକୁ ଚାଲିଆସିଛି। ସୋମବାର ଦିନ ବେଙ୍ଗାଲୁରୁ ଏବଂ ଚେନ୍ନାଇ ହୋଟେଲ ଆସୋସିଏସନ ପକ୍ଷରୁ ସତର୍କ କରାଯାଇଛି ଯେ, ଯଦି ତୁରନ୍ତ ଗ୍ୟାସ୍ ଯୋଗାଣ ସ୍ଵାଭାବିକ ନହୁଏ, ତେବେ ମଙ୍ଗଳବାର (ମାର୍ଚ୍ଚ ୧୦) ଠାରୁ ଅନେକ ହୋଟେଲ ସେମାନଙ୍କ କାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେବେ।

କାହିଁକି ସୃଷ୍ଟି ହେଲା ଏହି ସଙ୍କଟ?

ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବିଶେଷ କରି ଇରାନ ଦ୍ବାରା 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ଜଳପଥରେ କଟକଣା ଯୋଗୁଁ ବିଶ୍ବର ଏକ ପଞ୍ଚମାଂଶ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ଭାରତରେ ଏଲପିଜି ସିଲିଣ୍ଡରର ଅଭାବ ଦେଖାଦେଇଥିବା କୁହାଯାଉଛି। କିଛି ଦିନ ପୂର୍ବରୁ ହିଁ ବାଣିଜ୍ୟିକ ସିଲିଣ୍ଡର ଦାମରେ ୧୧୫ ଟଙ୍କା ଏବଂ ଘରୋଇ ସିଲିଣ୍ଡର ଦାମରେ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା।

ବେଙ୍ଗାଲୁରୁ ଓ ଚେନ୍ନାଇର ହୋଟେଲରେ ବନ୍ଦ ହୋଇପାରେ ରୋଷେଇ

ବେଙ୍ଗାଲୁରୁ ହୋଟେଲ ଆସୋସିଏସନ ଅନୁଯାୟୀ, ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ମଙ୍ଗଳବାର ଠାରୁ ହୋଟେଲଗୁଡ଼ିକ ବନ୍ଦ ରହିବ। ଏହା ଦ୍ବାରା ହଜାର ହଜାର ଛାତ୍ରଛାତ୍ରୀ, ଆଇଟି କର୍ମଚାରୀ ଓ ସାଧାରଣ ଲୋକେ ପ୍ରଭାବିତ ହେବେ। ଚେନ୍ନାଇ ହୋଟେଲ ଆସୋସିଏସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ଡିଷ୍ଟ୍ରିବ୍ୟୁଟରମାନେ ସିଲିଣ୍ଡର ଷ୍ଟକ ନାହିଁ ବୋଲି କହି ଯୋଗାଣ ବନ୍ଦ କରିଦେଇଥିବାରୁ ହୋଟେଲ ମାଲିକମାନେ ଚିନ୍ତାରେ ଅଛନ୍ତି।

ଗୁରଗାଓଁ, ମୁମ୍ବାଇରେ ବି ଆତଙ୍କ

କେବଳ ଦକ୍ଷିଣ ଭାରତ ନୁହେଁ, ଗୁରଗାଓଁ ଓ ମୁମ୍ବାଇର ହୋଟେଲ ମାଲିକମାନେ ମଧ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। କିଛି ରେଷ୍ଟୁରାଣ୍ଟ ସେମାନଙ୍କ ମେନୁରୁ ଅଧିକ ଗ୍ୟାସ୍ ଖର୍ଚ୍ଚ ହେଉଥିବା ଖାଦ୍ୟ ହଟାଇ ଦେଇଥିବା ବେଳେ କେତେକ ହୋଟେଲ କାର୍ଯ୍ୟ ସମୟ ସୀମିତ କରିଛନ୍ତି। ପୁନେରେ ମଧ୍ୟ ଗ୍ୟାସର ଅଭାବ ଯୋଗୁଁ ଶ୍ମଶାନଗୁଡ଼ିକରେ ପ୍ରୋପେନ୍ ଓ ବିଉଟେନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି।

ସରକାରଙ୍କ ଆଭିମୁଖ୍ୟ

ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ତୈଳ ବିଶୋଧନାଗାରଗୁଡ଼ିକୁ ଏଲପିଜି ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛି। ସରକାର ପ୍ରଥମେ ଘରୋଇ ଗ୍ରାହକଙ୍କୁ ପ୍ରାଥମିକତା ଦେବାକୁ କହିଛନ୍ତି। କଳାବଜାରୀ ରୋକିବା ପାଇଁ ଘରୋଇ ସିଲିଣ୍ଡର ବୁକିଂ ମଧ୍ୟରେ ୨୫ ଦିନର ବ୍ୟବଧାନ ରଖାଯାଇଛି। ହୋଟେଲ ଶିଳ୍ପର ଅସୁବିଧା ସମାଧାନ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି।