ଦିଗପହଣ୍ଡି ୨୬।୧୧:ଜୀବନ୍ତ ସାପ ଖାଇବା ଭିଡିଓ ଭାଇରାଲ । ବାଦି ନାଟକରେ ବିପଜ୍ଜନକ କାରନାମା । ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ୍ ପ୍ରଦର୍ଶନ । ଜେସିବି ଉପରେ ଚଢ଼ି କଳାକାରଙ୍କ ଦୁଃସାହସିକ କାର୍ଯ୍ୟ, ପ୍ରଚୁର ବାଣ ଫୁଟାଇ ପରିବେଶ ପ୍ରଦୂଷଣ। ଏମିତି କିଛି ଘଟଣା ଏବେ ଗଞ୍ଜାମ ଜିଲ୍ଲାର ରାମାୟଣ ବାଦି ନାଟକରେ ଲଗାତାର ଚାଲିଛି । ଯାହାକୁ ନେଇ ବିବାଦ ଥମିବାର ନାଁ ଧରୁନି।

Also Read :- କୋଟିଆ ପାଇଁ ବିଧାନସଭାରେ ଲଢ଼େଇ, ଆତ୍ମାହୁତି ନିଷ୍ପତ୍ତି ବଦଳାଇଲେ ତାରା

ନିଜକୁ ଶ୍ରେଷ୍ଠ କଳାକାର ଭାବେ ପ୍ରମାଣିତ କରିବା ଏବଂ ଦର୍ଶକଙ୍କ ମନ ଜିଣିବା ପାଇଁ କିଛି କଳାକାର ଏବେ ସୀମା ଲଂଘିବାକୁ ଲାଗିଲେଣି। ବିକଟାଳ ସାଉଣ୍ଡ,ଉଚ୍ଚଶବ୍ଦ,ବିପଜ୍ଜନକ ଷ୍ଟଣ୍ଟ୍ ପ୍ରଦର୍ଶନ ସାଙ୍ଗକୁ ପ୍ରଚୁର ବାଣ ଫୁଟାଇବା ଭଳି କାର୍ଯ୍ୟ ଚାଲିଛି। ଯାହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଉଛି।

ଖାଇଦେଲେ ଜୀଅନ୍ତା ସାପ

ଗଞ୍ଜାମ ଜିଲ୍ଲାର ଲାଞ୍ଜିଆ ଗ୍ରାମରେ କୁଠାଶାଳ ଯାତ୍ରା ଅବସରରେ ଦୁଇଟି ରାମାୟଣ ବାଦି ନାଟକ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଗୋଟିଏ ପଟେ ବଉଳଝୁଳି ଗ୍ରାମର ଦଳ ଥିବାବେଳେ ଅନ୍ୟପଟେ ଅଡ଼ବା ଗ୍ରାମର ଦଳ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ତେବେ ଏହି ବାଦି ନାଟକର କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। ବିଶେଷକରି ରାକ୍ଷସ ବେଶରେ ଅଭିନୟ କରୁଥିବା ଜଣେ କଳାକାର ଜୀବନ୍ତ ସାପକୁ ଖାଉଥିବା ଭଳି ଦୃଶ୍ୟ ଦର୍ଶକଙ୍କୁ ଚକିତ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଅନ୍ୟ କିଛି କଳାକାର ଜୀବନକୁ ବିପଦରେ ପକାଇ ଜେସିବି ଉପରେ ଚଢ଼ି ଦୁଃସାହସିକ ପ୍ରଦର୍ଶନ କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଗତବର୍ଷ ମଧ୍ୟ ସେହି ଲାଞ୍ଜିଆ ଗ୍ରାମରେ ରାମାୟଣ ମଞ୍ଚରେ ବାଣ ଫୁଟାଇବା ସମୟରେ ନିଆଁ ଲାଗି ମଞ୍ଚଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଯାଇଥିଲା। ଏଭଳି ଘଟଣା ସତ୍ତ୍ୱେ ପୁଣିଥରେ ବିପଜ୍ଜନକ କାର୍ଯ୍ୟ ଜାରି ରହିବା ଚିନ୍ତାର ବିଷୟ ପାଲଟିଛି। ପାରମ୍ପରିକ କଳା ଓ ସଂସ୍କୃତିର ନାଁରେ ଏଭଳି ବିପଜ୍ଜନକ ପ୍ରଦର୍ଶନ କେତେଦୂର ଯୁକ୍ତିଯୁକ୍ତ?କଳା ପ୍ରଦର୍ଶନ ନାଁରେ ଜୀବନକୁ ବାଜି ଲଗାଇବା ସହ ପରିବେଶ ପ୍ରଦୂଷଣ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ବିପଦରେ ପକାଇବା କେତେଦିନ ଚାଲିବ?ଏଭଳି ଘଟଣା ଉପରେ ପ୍ରଶାସନ କେବେ ଅଙ୍କୁଶ ଲଗାଇବ?ଏବେ ସାଧାରଣରେ ଏସବୁକୁ ନେଇ ଉଠିଛି ବଡ଼ ପ୍ରଶ୍ନ।