ଟାଙ୍ଗୀ ୧୭।୪: କେବେ ଥମିବ ହାତୀ-ମଣିଷ ଲଢେଇ । କେତେବେଳେ  ଏହି ଲଢ଼େଇରେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷଙ୍କ ଜୀବନ ଯାଉଛି । ଏଭଳି ହାତୀ-ମଣିଷ ଲଢ଼େଇରେ ଜଣେ ଯୁବକଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଯୁବକଙ୍କ ଜୀବନ ଚାଲିଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାର ଜଙ୍କିଆ ଥାନା ଅନ୍ତର୍ଗତ ନିଧିପୁର ଗାଁ ନିକଟରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ସୁଶାନ୍ତ ନାୟକ । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ତେବେ ଯୁବକ ଜଣଙ୍କ ସାଇକେଲ ନେଇ କୌଣସି କାମରେ ଜଙ୍ଗଲ ରାସ୍ତା ଦେଇ ପାର୍ ହେବାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଫଳରେ ହାତୀଟି ତାଙ୍କୁ ଦଳି ଦେଇଥିଲା । ଯାହା ଫଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଶୁକ୍ରବାର ସକାଳୁ ଗ୍ରାମବାସୀ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।

​​​​​​​Also Read:- ଚୋରା ମଦ ଧରିବାକୁ ଯାଇ ଅବକାରୀ-ପୋଲିସ କର୍ମଚାରୀ ହଟହଟ୍ଟା, ଭାଟି କର୍ମଚାରୀ ଅଟକ

ତେବେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନିକଟସ୍ଥ ଜଙ୍ଗଲରେ ଗୋଟିଏ ଗୋଠଛଡା ଦନ୍ତା ଘୁରି ବୁଲୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଅଞ୍ଚଳରେ ହାତୀ-ମଣିଷ ଲଢେଇ ଦେଖିବାକୁ ମିଳୁଛି । କେବେ ହାତୀର ଜୀବନ ଯାଉଛି ତ ଆଉ କେବେ ମଣିଷଙ୍କ ଜୀବନ ଯାଉଛି । ତେବେ ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଜନସାଧାରଣ ଦାବି କରିଛନ୍ତି ।