ଢେଙ୍କାନାଳ, ୩୧/୦୮: ମୃତଦେହ ସତ୍କାର କରିବା ସହ ଶୁଦ୍ଧିକ୍ରିୟା ସାରିଥିଲେ ପରିବାର। ସ୍ବାମୀ ଆଉ ଦୁନିଆରେ ନାହାନ୍ତି ବୋଲି ମନକୁ ବୁଝାଇ ରହିଥିଲେ ସ୍ତ୍ରୀ। ହେଲେ ଶୁଦ୍ଧିକ୍ରିୟାର ମାସକ ପରେ ସ୍ବାମୀ ଘରକୁ ଫେରିଲେ । ବିଧବା ସ୍ତ୍ରୀ ପୁଣି ଶଙ୍ଖା, ସିନ୍ଦୁର ନାଇଲେ । ସଧବା ହୋଇ ସଜେଇ ହେଲେ। ପରିବାରରେ ଖୁସିର ମାହୋଲ୍ ଖେଳିଗଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାର୍ଷିଙ୍ଗା ଗାଁରେ।

Also Read :- ପରିଦା ଦର ଶୁଣି ଲାଗିଲାଣି ଡର, ବିଗିଡ଼ିଗଲାଣି ଖାଉଟିଙ୍କ ବଜେଟ୍‌ ଖାତା

ସୂଚନା ଅନୁଯାୟୀ, ବାର୍ଷିଙ୍ଗା ଗ୍ରାମର ସନାତନ ନାଏକ(୨୯) ଗତ ଜୁଲାଇ ୧୭ରେ ହଠାତ୍ ନିଖୋଜ ହୋଇଯାଇଥିଲେ। ସେ ବିବାହିତ ହୋଇଥିବା ବେଳେ ସାମାନ୍ୟ ମାନସିକ ଭିନ୍ନକ୍ଷମ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିବା ବେଳେ ତାଙ୍କ ପତ୍ତା ପାଇନଥିଲେ । ପରିବାର ଲୋକେ ଖୋଜାଖୋଜି ଜାରି ରଖିଥିବା ବେଳେ ଜୁଲାଇ ୨୭ ତାରିଖରେ ରାସୋଳ ଥାନା କୁନୁଆଁ ଗାଁ ନିକଟ ଧାନ ବିଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ସୂଚନା ପାଇ ପରିବାର ଲୋକେ ସେଠାରେ ପହଞ୍ଚିବା ବେଳକୁ ରାସୋଳ ଥାନା ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ସାରିଥିଲା। ପୁଲିସ୍ ଅଧିକାରୀଙ୍କୁ ପରିବାର ଲୋକେ ସନାତନଙ୍କ କଥା କହିଥିବା ବେଳେ ପୁଲିସ୍ ତାହା ସନାତନଙ୍କ ଶବ ବୋଲି ଧରି ନେଇ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାକ୍ଷର କରିଥିଲା। ଶବ ପଚି ନଷ୍ଟ ହୋଇଯାଇଥିବାରୁ ପରିବାର ଲୋକେ ମଧ୍ୟ ଜାଣି ପାରିନଥିଲେ।

ରୀତିନୀତି ଅନୁଯାୟୀ ଶବ ସତ୍କାର କରିବା ସହ ଶୁଦ୍ଧିକ୍ରିୟା ସାରିଥିଲେ। ପୁଅର ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ପୁଅ ଆଉ ଦୁନିଆରେ ନାହିଁ ବୋଲି ମନକୁ ବୁଝାଇ ରହିଥିଲେ । ଠିକ୍ ମାସକ ପରେ ଅର୍ଥାତ୍ ଗତ ୨୭ ତାରିଖରେ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ପୁଲିସ୍ ପକ୍ଷରୁ ସନାତନଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଏ କଥା ଶୁଣି ହତବାକ୍ ହୋଇପଡ଼ିଥିଲା ପରିବାର। ଯୋରନ୍ଦା ଯାଇ ସେଠାରୁ ସନାତନଙ୍କୁ ନେଇ ଘରକୁ ଆସିଥିଲେ। ସନାତନ ଗାଁରେ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଗ୍ରାମବାସୀଙ୍କ ସୁଅ ଛୁଟିଥିଲା । ବନ୍ଧୁବାନ୍ଧବ ମଧ୍ଯ ଭିଡ଼ ଜମାଇଥିଲେ। ବିଧବା ହୋଇଥିବା ସ୍ତ୍ରୀ ପୁଣି ଶଙ୍ଖା ସିନ୍ଦୁର ପିନ୍ଧି ସଧବା ବେଶ ଧାରଣ କରିଥିଲେ। ପରିବାର ତଥା ଗାଁରେ ଖୁସିର ମାହୋଲ୍ ଦେଖାଦେଇଥିଲା।

ମାତ୍ର ପୋଲିସ୍ର ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ମୃତଦେହକୁ ସନାତନଙ୍କର ବୋଲି ପରିବାର ଲୋକଙ୍କୁ ଦିଆଗଲା ତାହା କାହାର ବୋଲି ପ୍ରଶ୍ନ ଉଠିଛି। ଜୀବିତ ପୁଅକୁ ମୃତ ବୋଲି ଶୁଦ୍ଧିକ୍ରିୟା କରିଥିବାରୁ ପରିବାର ଏଥିପାଇଁ ପୋଲିସକୁ ଦାୟୀ କରିଛି। ପୋଲିସ୍ ସଠିକ୍ ତଦନ୍ତ ନ କରି ଅଜଣା ଶବକୁ ସନାତନଙ୍କ ଶବ କହି ହସ୍ତାନ୍ତର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଥାନାଧିକାରିଣୀ ଚାରୁଲତା ସାହୁଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଯୁବକଙ୍କ ନିଖୋଳ ନେଇ ଆମ ନିକଟରେ କୌଣସି ସୂଚନା ନାହିଁ ବୋଲି କହିଥିଲେ। ରାସୋଳ ଥାନା ଅଧିକାରୀଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନି ।