Mamata meets Sonia Gandhi: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମ୍ସି ନେତା ମମତା ବାନାର୍ଜୀ। ମଙ୍ଗଳବାର ମମତା ସୋନିଆଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ଗତକାଲି ନୂଆଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ହୋଇଥିବା ଇଣ୍ଡିଆ ମେଣ୍ଟ ବୈଠକର ଦିନକ ପରେ ସୋନିଆଙ୍କୁ ଭେଟିଛନ୍ତି ମମତା। ଦୁଇ ନେତ୍ରୀଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି।

ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ପରେ ବିରୋଧୀ ମେଣ୍ଟ 'ଇଣ୍ଡିଆ' (INDIA) ବ୍ଲକ ବୈଠକରେ ଟିଏମ୍ସି ସୁପ୍ରିମୋଙ୍କ ସାମିଲ ହେବା ନୂଆ ରାଜନୈତିକ ସମୀକରଣକୁ ଦର୍ଶାଉଥିବା ବେଳେ ଦୁଇ ବରିଷ୍ଠ ନେତ୍ରୀଙ୍କ ରୁଦ୍ଧଦ୍ୱାରା ବୈଠକ ରାଜନୈତିକ ଆଲୋଚନାକୁ ଆହୁରି ବଳ ଦେଇଛି।

ନିର୍ବାଚନ ପରବର୍ତ୍ତୀ ସମୟରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ବଜାୟ ରଖିବା ଏବଂ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବା ଏହି ସାକ୍ଷାତର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ସେପଟେ ତୃଣମୂଳ କଂଗ୍ରେସ ଏବେ ଆଭ୍ୟନ୍ତରୀଣ କନ୍ଦଳ, ଦଳୀୟ ସଦସ୍ୟଙ୍କ ଇସ୍ତଫା ଏବଂ ନିର୍ବାଚନ ପରେ ଦଳୀୟ କର୍ମୀ ଓ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା କଥିତ ଆକ୍ରମଣ ଭଳି ଜଟିଳ ସମସ୍ୟା ଦେଇ ଗତି କରୁଛି। ବର୍ତ୍ତମାନ ମମତା ଟିଏମ୍ସି ଦଳକୁ କିଭଳି ଟ୍ରାକକୁ ଫେରାଇ ଆଣିବେ ଏହା ତାଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି।

Also Read- DK Shivakumar Viral Video: କଳେ ଖାଇ ଅଇଁଠା ଆପଲକୁ ଲୋକଙ୍କ ଉପରକୁ ଫିଙ୍ଗିଲେ ଶିବ କୁମାର: ଭିଡିଓ ଭାଇରାଲ ପରେ ସମାଲୋଚନା

ସୋମବାର ଅନୁଷ୍ଠିତ 'ଇଣ୍ଡିଆ' ବ୍ଲକ ବୈଠକରେ ବିରୋଧୀ ନେତାମାନେ ମମତା ବାନାର୍ଜୀଙ୍କ ସମର୍ଥନରେ ଦୃଢ଼ ମତ ରଖିଥିଲେ। ଏହାଛଡ଼ା, ମମତା ଏବଂ ସୋନିଆ ଗାନ୍ଧୀଙ୍କ ପରସ୍ପରକୁ ଆଲିଙ୍ଗନ କରୁଥିବା ଫଟୋ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି, ଯାହା ବିରୋଧୀ ଦଳ ମଧ୍ୟରେ ଏକତା ପ୍ରଦର୍ଶନ କରିବାର ପ୍ରୟାସ ବୋଲି ମନେ କରାଯାଉଛି। ଏହି ସାକ୍ଷାତ ଆଗାମୀ ଦିନରେ ବିରୋଧୀ ମେଣ୍ଟର ଭବିଷ୍ୟତ ପାଇଁ କେତେ ପ୍ରଭାବଶାଳୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ଇଣ୍ଡିଆ ମେଣ୍ଟରେ ଯଦିଓ ଥିଲେ, ହେଲେ ରାଜ୍ୟ କଂଗ୍ରେସ ସହିତ ଆସନ ବୁଝମଣାକୁ ନେଇ କନ୍ଦଳ ରହିଥିଲା। ଏଥିପାଇଁ ଦୁଇ ଦଳ ଅଲଗା ଅଲଗା ଭାବେ ନିର୍ବାଚନ ଲଢ଼ିଥିଲେ। ଏବଂ କଂଗ୍ରେସ ବିଜେପିର ବି-ଟିମ ସାଜି ଟିଏମ୍ସିକୁ ହରାଇବାକୁ ଚେଷ୍ଟା କରୁଛି ବୋଲି ମମତା ଅଭିଯୋଗ ଆଣିଥିଲେ। ତେବେ ସୋନିଆ ଗାନ୍ଧୀଙ୍କ ପ୍ରତି ତାଙ୍କର ନରମ ମନୋଭାବ ପୂର୍ବରୁ ହିଁ ରହି ଆସିଛି। ତେଣୁ ମମତା ସୋନିଆଙ୍କୁ ଭେଟିବା ଭବିଷ୍ୟତରେ କେଉଁ ରାଜନୈତିକ ମୋଡ଼ ନେଉଛି ତାହା ଦେଖିବା ବାକି ରହିଲା।