ନୂଆଦିଲ୍ଲୀ, ୨୯। ୦୭ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ବଡ଼ ଝଟକା । କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ପଞ୍ଜାବର ସଙ୍ଗରୁର ଅଦାଲତ ଓ୍ୱାରେଣ୍ଟ୍ ଜାରି କରିଛନ୍ତି । ତାଙ୍କୁ ସେପ୍ଟେମ୍ବର ୧୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ ମଲ୍ଲିକାର୍ଜୁନଙ୍କୁ କୋର୍ଟରେ ନିଜେ ଉପସ୍ଥିତ ରହି ଜାମିନ ନେବାକୁ ପଡ଼ିବ ।

ରିପୋର୍ଟ ଅନୁସାରେ, ଏହି ମାମଲା ୨୦୨୩ ମସିହାର ଅଟେ । ସଙ୍ଗରୁରରେ ରହୁଥିବା ବଜରଙ୍ଗ ଦଳର ନେତା ହିତେଶ ଭରଦ୍ୱାଜଙ୍କ ଏକ ମାମଲା ଆଧାରରେ କୋର୍ଟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅଭିଯୋଗ ଅନୁସାରେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ମଲ୍ଲିକାର୍ଜୁନ ଖଡଗେ ବଜରଙ୍ଗ ଦଳକୁ ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ସହ ତୁଳନା କରିଥିଲେ । କଂଗ୍ରେସ ସରକାର ଆସିଲେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ସେ କହିଥିଲେ ।

Also Read :- ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସେୟାର ମାର୍କେଟ ପାଠ

ମଲ୍ଲିକାର୍ଜୁନଙ୍କ ଏହି ବୟାନ ବିରୋଧରେ ହିତେଶ କୋର୍ଟରେ ମାମଲା କରିଥିଲେ । ଏବେ କୋର୍ଟ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ୧୫ ହଜାର ଟଙ୍କାର ଜାମିନ ଓ୍ୱାରେଣ୍ଟ୍ ଜାରି କରିଛନ୍ତି । ପୂର୍ବରୁ ଏହି ମାମଲାକୁ କୋର୍ଟ ଦେଓ୍ୱାନୀ ମାମଲା ଭାବେ ଗ୍ରହଣ କରିଥିଲେ । ପରେ ଫୌଜଦାରୀ ମାମଲା ରୁପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେପ୍ଟେମ୍ବର ୧୯ ତାରିଖରେ ହେବାକୁ ଥିବା ଶୁଣାଣିରେ ମଲ୍ଲିକାର୍ଜୁନ ଉପସ୍ଥିତ ରହିବା ଆବଶ୍ୟକ । ନଚେତ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ୍ ଜାରି କରାଯିବ ।