ବାମାକୋ: ଆଫ୍ରିକୀୟ ଦେଶ ମାଲିରେ ରବିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏକ ଆତଙ୍କବାଦୀ ଆକ୍ରମଣରେ ମାଲି ପ୍ରତିରକ୍ଷା ମନ୍ତ୍ରୀ ସାଦିୟୋ କାମରା, ତାଙ୍କ ପତ୍ନୀ ଓ ଦୁଇ ନାତି, ନାତୁଣୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଏହି ଆକ୍ରମଣ କାର ବୋମା ବିସ୍ଫୋରଣରେ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କାମରା ରହୁଥିବା ଅଞ୍ଚଳକୁ ଜୁଣ୍ଟାର ଗଡ଼ ବୋଲି କୁହାଯାଏ। ଅଧିକାରୀକ ସୂତ୍ର ଓ ସମ୍ବାଦସରବରାହ ସଂସ୍ଥା ଆନାଦୋଲୁ ଅନୁସାରେ ଏହା ଏକ ସୁନିୟୋଜିତ ଅଭିଯାନ ଥିଲା। ଏଥିରେ ରାଜଧାନୀ ବାମାକୋ, ସେଭାରେ, ମୋପ୍ତି, ଗାଓ ଏବଂ କିଦାଲ ଭଳି ରଣନୈତିକ ସ୍ଥାନକୁ ଆତଙ୍କବାଦୀ ଟାର୍ଗେଟ୍ କରିଛନ୍ତି।

କୁହାଯାଉଛି ଦୁଇଟି ସଙ୍ଗଠନ ମିଳିତ ମାଲି ରକ୍ଷାମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଏହି ସଙ୍ଗଠନ ଦ୍ୱୟ ହେଉଛନ୍ତି ଅଜାୱାଦ ଲିବରେସନ ଫ୍ରଣ୍ଟ ଓ ଗ୍ରୁପ ଫର ଦି ସପୋର୍ଟ ଅଫ ଇସ୍ଲାମ ଆଣ୍ଡ ମୁସଲିମ। ଘଟଣା ପରେ ମାଲିର ବିଭିନ୍ନ ଅଞ୍ଚଳରେ ସେନା ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ବାମାକୋର ମୁଖ୍ୟ ବିମାନ ବନ୍ଦର ଓ କାଟିରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବାସଭନ ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା।

ଘଟଣାରେ ମାଲି ସେନା ଏକ ଅଧିକାରୀକ ବୟାନ ଜାରି କରିଛି। ଏଥିରେ ସଶସ୍ତ୍ର ବଳ ଜେନେରାଲ ଷ୍ଟାଫ କହିଛନ୍ତି ଯେ ଅଜ୍ଞାତ ଆତଙ୍କବାଦୀ ସମୂହ ରାଜଧାନୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରଣନୈତିକ ସ୍ଥଳ ଓ ବ୍ୟାରାକକୁ ଟାର୍ଗେଟ୍ କରିଛନ୍ତି। ସଂଘର୍ଷ ଏବେବି ଜାରି ରହିଛି। ଏଣୁ ଜନତାଙ୍କୁ ଶାନ୍ତ ଓ ସତର୍କ ରହିବାକୁ ଅନୁରୋଧ କରାଯାଉଛି। ମାଲି ୨୦୧୨ ମସିହାରୁ ଅଶାନ୍ତ ହୋଇପଡିଛି। ଏହା ପୂର୍ବରୁ କାଟି ଓ ସେନୋ ବିମାନ ବନ୍ଦରକୁ ଏଇଭଳି ଟାର୍ଗେଟ୍ କରାଯାଇଥିଲା। ରାଷ୍ଟ୍ରପତି ଜେନେରାଲ ଅସୀମୀ ଗୋଇତା ଦେଶର ଅନ୍ତରୀଣ ରାଷ୍ଟ୍ରମୁଖ୍ୟ ଅଛନ୍ତି। ସେ ମେ ୨୦୨୧ରୁ ଦେଶର ଶାସନ ସମ୍ଭାଳି ଆସୁଛନ୍ତି।