କୋଲକାତା :ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଛୋଟମୋଟ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏଥି ମଧ୍ୟରେ କୋଲକାତା ପୋଲିସ କମିଶନର ଅଜୟ କୁମାର ନନ୍ଦ ବୁଧବାର ଚେତାବନୀ ଦେଇଛନ୍ତି ଯେ ଆଇନଶୃଙ୍ଖଳା ଭାଙ୍ଗିବାକୁ ଉଦ୍ୟମ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ। ସେ କହିଛନ୍ତି ଯେ ଉପଦ୍ରବୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି ଓ ଏ ପର୍ଯ୍ୟନ୍ତ କୋଲକାତା ପୋଲିସ ଜରିସଡିକ୍ସନର ବିଭିନ୍ନ ସ୍ଥାନରୁ ୮୦ ଜଣଙ୍କୁ ଗିରଫ କରାଯାଇଛି।

ନନ୍ଦ କହିଛନ୍ତି ଯେ ଗିରଫ ୮୦ ଜଣଙ୍କ ମଧ୍ୟରୁ ୬୫ ଜଣଙ୍କୁ ନିର୍ଦ୍ଧିଷ୍ଠ ମାମଲାରେ ଗିରଫ କରାଯାଇଛି। ତେବେ ଅନ୍ୟ ୧୫ ଜଣଙ୍କୁ ସତର୍କତା ସ୍ୱରୂପ ଅଟକ ରଖାଯାଇଛି। ପୋଲିସ କମିଶନର କହିଛନ୍ତି ଯେ ଯିଏବି ଡର ବା ଆତଙ୍କର ପରିବେଶ ସୃଷ୍ଟି କରିବ, ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।

କୌଣସି ଶୋଭାଯାତ୍ରାରେ ସାମିଲ ହେବନି ବୁଲଡୋଜରଏ ନେଇ ଅଜୟ ନନ୍ଦ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେହିବି କୌଣସି ପ୍ରକାରର ହିଂସା ଓ ଆଇନଶୃଙ୍ଖଳା ବିଗିଡିବା ଭଳି କାର୍ଯ୍ୟରେ ସାମିଲ ହେବା ଉଚିତ ନୁହେଁ। ସେ କହିଛନ୍ତି ଯେ କିଛି ଘଟଣା ଘଟିଛି, ତେବେ ମୋଟ ଉପରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ପୋଲିସ ଚଢାଉ ବେଳେ ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ନନ୍ଦ ଚେତାବନୀ ଦେଇଛନ୍ତି ଯେ ନିର୍ବାଚନ ପ୍ରଚାରର କେନ୍ଦ୍ରରେ ଥିବା ବୁଲଡୋଜରକୁ କୌଣସି ବିଜୟ ଶୋଭାଯାତ୍ରାରେ ସାମିଲ କରିବାକୁ ଅନୁମତି ଦିଆଯିବନି। ସେ କହିଛନ୍ତି ଯେ ଜେସିବି ବା ସେହିଭଳି କୌଣସି ଉପକରଣ ସହ କୌଣସି ଠାରେ ଶୋଭାଯାତ୍ରା ବାହାରିବ ନାହିଁ।

ପୋଲିସ ମୁଖ୍ୟ କହିଛନ୍ତି ଯେ ଯଦି ଜେସିବି ବା ସେହିଭଳି କୌଣସି ଉପକରଣ ଶୋଭାଯାତ୍ରା ଉଦ୍ଦେଶ୍ୟରେ ଭଡ଼ାରେ ଦିଅନ୍ତି ତେବେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେ କହିଛନ୍ତି ଯେ ନିର୍ବାଚନ ପର ପରିସ୍ଥିତିରେ ଆଇନଶୃଙ୍ଖଳା ନିୟନ୍ତ୍ରିତ ରଖିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ (ସିଏପିଏଫ) ଓ କୋଲକାତା ପୋଲିସ ମିଳିତ ଭାବେ କାମ କରିବେ, ଯେପରି ସେମାନେ ବିଧାନସଭା ନିର୍ବାଚନ ବେଳେ କାମ କରୁଥିଲେ।