ମୁମ୍ବାଇ: ମହାରାଷ୍ଟ୍ରର ପଂଢରପୁର ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ପଂଢରପୁର ରାସ୍ତାରେ ଥିବା ତଣ୍ଡଲୱାଡ଼ି ଗ୍ରାମ ନିକଟରେ ଯାତ୍ରୀବାହୀ ପିକ୍ଅପ୍ ଭ୍ୟାନ୍ ହଠାତ୍ ନିୟନ୍ତ୍ରଣ ହରାଇ ଏକ କୂଅ ଭିତରକୁ ଖସିପଡ଼ିଛି। ଏହି ଭୟାବହ ଦୁର୍ଘଟଣାରେ ଗାଡ଼ିରେ ଥିବା ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ମୃତକ ପଂଢରପୁର ତାଲୁକାର ରଞ୍ଜନୀ ଗ୍ରାମର ବାସିନ୍ଦା । ସେମାନେ ସମସ୍ତେ ମିଶି ମାସୱଡ୍ରେ ଅବସ୍ଥିତ ପ୍ରସିଦ୍ଧ ସିଦ୍ଧନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ।

ଫେରିବା ବାଟରେ ଆସିଲା ମୃତ୍ୟୁ

ମନ୍ଦିରରେ ପୂଜାର୍ଚ୍ଚନା ଏବଂ ଦେବ ଦର୍ଶନ ଶେଷ କରି ସମସ୍ତ ଶ୍ରଦ୍ଧାଳୁ ନିଜ ପିକଅପ୍ ଗାଡ଼ିରେ ଆନନ୍ଦର ସହ ଗାଁକୁ ଫେରୁଥିଲେ। ମାତ୍ର ତଣ୍ଡଲୱାଡ଼ି ଗ୍ରାମ ନିକଟରେ ଗାଡ଼ିଟି ହଠାତ୍ ଦୁର୍ଘଟଣାର ସମ୍ମୁଖୀନ ହୋଇ ସିଧାସଳଖ ରାସ୍ତା କଡ଼ରେ ଥିବା ଏକ ଗଭୀର କୂଅ ଭିତରକୁ ଖସି ପଡ଼ିଥିଲା।

ସ୍ଥାନୀୟ ଅଞ୍ଚଳରେ ଶୋକ

ଏହି ଭୟଙ୍କର ଦୁର୍ଘଟଣାରେ ଗାଡ଼ିରେ ଥିବା ୯ ଜଣ ଶ୍ରଦ୍ଧାଳୁଙ୍କର କୂଅ ଭିତରେ ହିଁ ଜୀବନ ଚାଲିଯାଇଛି। ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ଗୋଟିଏ ସାହିର ଏକାସଙ୍ଗେ ୯ ଜଣଙ୍କ ଜୀବନ ଯିବା ପରେ ରଞ୍ଜନୀ ଗ୍ରାମ ସମେତ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।