ଭୁବନେଶ୍ୱର: ଓଡ଼ିଶାର ପୁରପଲ୍ଲୀର ଶକ୍ତିପୀଠମାନଙ୍କରେ ଶାରଦୀୟ ଶକ୍ତିପୂଜାର ମହାପର୍ବ ଷୋଳପୂଜା ସହିତ ଆରମ୍ଭ ହୋଇଯାଇଛି । ତେବେ ପୂଜା ମଣ୍ଡପରେ ମା'ଙ୍କର ଶାରଦୀୟ ପୂଜାର ମୁଖ୍ୟ ଭାଗ ନବରାତ୍ରିର ଷଷ୍ଠଦିବସରୁ ଆରମ୍ଭ ହୁଏ I ଯାହା ମହାଷଷ୍ଠୀ ଭାବେ ବିଦିତ । ମହାଷଷ୍ଠୀରେ ବିଲ୍ଵବରଣ ବିଧି ମାଧ୍ୟମରେ ମା’ଙ୍କୁ ମଣ୍ଡପରେ ବିରାଜମାନ ଲାଗି ଶାସ୍ତ୍ର ସମ୍ମତ ଆବାହନ କରାଯାଏ ।

ଚଳିତ ନବରାତ୍ରିର ମହାଷଷ୍ଠୀ ଅକ୍ଟୋବର ୧୬ ଶୁକ୍ରବାର ପାଳନ ହେବାକୁ ଯାଉଛି । ପଞ୍ଜିକା ଅନୁଯାୟୀ ୧୬ତାରିଖ ସକାଳ ୩ଟା ୨୫ମିନିଟ୍ରୁ ଆରମ୍ଭ ହୋଇ ପରଦିନ ସକାଳ ୫ଟା ୫୪ ପର୍ଯ୍ୟନ୍ତ ରହୁଛି । ମହାଷଷ୍ଠୀର ବିଲ୍ଵବରଣ ପୂଜା ନୀତି ଯେହେତୁ ସନ୍ଧ୍ୟା ସମୟରେ କରାଯିବାର ପରମ୍ପରା ରହିଛି ଏଣୁ ଶୁକ୍ରବାର ହିଁ ମା'ଙ୍କୁ ବରଣ କରାଯିବ । ତେବେ ବରଣର ନିର୍ଦ୍ଦିଷ୍ଟ ଶୁଭ ମୂହୁର୍ତ୍ତ ସ୍ଥାନୀୟ ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟକୁ ଚାହିଁ ଏପଟସେପଟ ହୋଇପାରେ ।

ଦେବୀଙ୍କର ବିଲ୍ଵବରଣର ସମୁଦାୟ ପ୍ରକ୍ରିୟାଟି କଣ ?

ହିନ୍ଦୁ ଶାସ୍ତ୍ର ମତରେ ବିଲ୍ୱବୃକ୍ଷ ବା ବେଲଗଛ ମହାଦେବଙ୍କର ନିବାସ ସ୍ଥଳ । ଏଠାରେ ମହାଦେବଙ୍କ ସହିତ ଦେବୀ ମଧ୍ୟ ବିରାଜମାନ କରିଥାନ୍ତି । ଏଣୁ ମହାଷଷ୍ଠୀ ସନ୍ଧ୍ୟାରେ ବିଲ୍ଵବୃକ୍ଷ ମୂଳରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ମା'ଙ୍କୁ ତାଙ୍କର ପିତୃଗୃହ ବା ଧରାପୃଷ୍ଠ ଅବତରଣ ଲାଗି ଆବାହନ କରାଯାଏ । ସୁତରାଂ ଦେବୀଙ୍କୁ ମଣ୍ଡପରେ ବିରାଜମାନ ଲାଗି ଆବାହନ କରାଯାଇଥାଏ ।

ବିଲ୍ଵବରଣକୁ ମା' ଦୁର୍ଗାଙ୍କର ଅକାଳ ବୋଧନ ସହିତ ଯୋଡ଼ାଯାଇ ଶରତ କାଳରେ ଦେବଦେବୀ ନିଦ୍ରିତ ଥାଆନ୍ତି । ଏଣୁ ଦେବୀଙ୍କୁ ଅକାଳରେ ଜାଗ୍ରତ କରାଇ ଧରାଧାମକୁ ଆସିବା ପାଇଁ ନିମନ୍ତ୍ରଣ କରାଯାଏ । ଏହାର ପୌରଣିକ ପୃଷ୍ଠଭୂମି ହେଲା ତ୍ରୈତୟା ଯୁଗରେ ରାବଣଙ୍କୁ ବଧ କରିବା ଲାଗି ଭଗବାନ ଶ୍ରୀରାମଙ୍କୁ ଶକ୍ତି ପୂଜାର ଆବଶ୍ୟକତା ପଡ଼ିଥିଲା । ସେ ଏହି ଶରତ ଋତୁରେ ଆଶ୍ଵିନ ଶୁକ୍ଳ ଷଷ୍ଠୀ ସନ୍ଧ୍ୟାରେ ବେଲଗଛକୁ ପୂଜା କରି ମା'ଙ୍କୁ ଆବାହନ କରିଥିଲେ । ଏହି ସ୍ମୃତିରେ ମା'ଙ୍କୁ ବୋଧନ ଏବଂ ଆମନ୍ତ୍ରଣ କରାଯାଇଥାଏ ।

ବିଲ୍ଵବରଣ ପୂଜା ଲାଗି ବୃକ୍ଷ ଚାରିପାଖ ସଫାସୁତୁରା କରାଯାଇ ଜଳଭରା ଜଳସ ସ୍ଥାପନ କରଯାଏ । ଏହାପରେ ଦୀପ, ଧୂପ, ଅକ୍ଷତ, ଫୁଲ ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀରେ ପୂଜାର୍ଚ୍ଚନା ସହ ମା'ଙ୍କୁ ସନ୍ତାନ ଆମନ୍ତ୍ରଣ କରେ । ଷଷ୍ଠୀରେ ବିଲ୍ଵବରଣ ପରେ ମହାସପ୍ତମୀ ଦିନ ପୂଜାମଣ୍ଡପରେ ନବପତ୍ରୀ (ବେଲ ସହ ୯ ପ୍ରକାର ଗଛର କାଣ୍ଡ) ସ୍ଥାପନ ହୁଏ ଏବଂ ମୁଖ୍ୟ ପୂଜା ଆରମ୍ଭ ହୋଇଥାଏ ।