ଚେନ୍ନାଇ: ତାମିଲନାଡୁର ଲୋକସମ୍ପର୍କ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଆଧବ ଅର୍ଜୁନ ତାଙ୍କ ନାମରେ ମିଥ୍ୟା ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଡିଏମକେ (DMK) ଅଧ୍ୟକ୍ଷ ଏମ. କେ. ଷ୍ଟାଲିନ୍‌ଙ୍କଠାରୁ ୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟର ବିଚାରପତି କେ. ଗୋବିନ୍ଦରାଜନ୍ ତିଲକାବତୀ ଏହି ମାମଲାର ଶୁଣାଣି କରି ଏମ. କେ. ଷ୍ଟାଲିନ ଏବଂ ଡିଏମକେର ଆଇଟି (IT) ୱିଙ୍ଗକୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୫ ତାରିଖରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।

ଅର୍ଜୁନଙ୍କ ଅଭିଯୋଗ ଅନୁଯାୟୀ, ୮ ଜୁନ୍ ୨୦୨୬ ରେ DMK IT ୱିଙ୍ଗର X (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରୁ ତାଙ୍କ ବିରୋଧରେ ଏକ ମିଥ୍ୟା ଓ ଭିତ୍ତିହୀନ ସୂଚନା ପୋଷ୍ଟ କରାଯାଇଥିଲା, ଯାହା ତାଙ୍କର ପ୍ରତିଷ୍ଠା ଓ ସାମାଜିକ ସୁନାମକୁ କ୍ଷୁର୍ଣ୍ଣ କରିଛି।
ଆବେଦନକାରୀ ଦର୍ଶାଇଛନ୍ତି ଯେ, ଏହି ପୋଷ୍ଟଟି କୌଣସି ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ନିଜସ୍ୱ ନିଷ୍ପତ୍ତି ନୁହେଁ, ବରଂ ଷ୍ଟାଲିନଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ଯୋଜନା ଅନୁଯାୟୀ କରାଯାଇଛି। ତେଣୁ ଦଳର ସଭାପତି ଭାବରେ ସେ ଏଥିପାଇଁ ଦାୟୀ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କାର୍ଯ୍ୟାନୁଷ୍ଠାନରେ ଉଲ୍ଲେଖ ଥିବା ବ୍ୟକ୍ତି ତାଙ୍କର କୌଣସି ଆତ୍ମୀୟ ନୁହଁନ୍ତି ବୋଲି ଅର୍ଜୁନ ସ୍ପଷ୍ଟ କରିଛନ୍ତି। ବିନା ସତ୍ୟାସତ୍ୟ ଯାଞ୍ଚରେ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରିବାକୁ ଏହି ସୂଚନା ପ୍ରସାରିତ କରାଯାଇଥିବା ସେ କୋର୍ଟରେ ଦର୍ଶାଇଛନ୍ତି। ଭବିଷ୍ୟତରେ ତାଙ୍କ ବିରୋଧରେ ଏପରି କୌଣସି ଭୁଲ ତଥ୍ୟ ପ୍ରକାଶ ନକରିବାକୁ ଅଦାଲତରେ ସେ ଆବେଦନ କରାଯାଇଛି।