ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ସରିଗଲେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ମୋବାଇଲ୍ରେ ଇନ୍ଷ୍ଟାମାର୍ଟ ଆପ୍ ଖୋଲନ୍ତୁ କରନ୍ତୁ ଏବଂ ଗ୍ରୋସରୀ ସାମଗ୍ରୀ ଭଳି ଏଲପିଜି ସିଲିଣ୍ଡର ଅର୍ଡର କରିଦିଅନ୍ତୁ । ଆଉ କିଛି ମିନିଟ୍ ମଧ୍ୟରେ ଗ୍ୟାସ୍ ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିଯିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ହେବାକୁ ଯାଉଛି । ଏହି ଅନ୍-ଡିମାଣ୍ଡ ସର୍ଭିସ୍ ସବୁଠାରୁ ପ୍ରଥମେ ବେଙ୍ଗାଲୁରୁରେ ଲାଇଭ୍ ହେବାକୁ ଯାଉଛି । ଆଗାମୀ ସମୟରେ ଅନ୍ୟ ସହରଗୁଡ଼ିକରେ ମଧ୍ୟ ଏହି ସୁବିଧା ଆରମ୍ଭ ହେବାର ଆଶା ରହିଛି ।

କ୍ଵିକ୍-କମର୍ସ ପ୍ଲାଟଫର୍ମ ସ୍ଵିଗି ଇନଷ୍ଟାମାର୍ଟ ସରକାରୀ ତୈଳ ବିପଣନ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ସହ ହାତ ମିଳାଇଛି । ଏହା ଅଧୀନରେ ଦେଶରେ ପ୍ରଥମ ଥର ପାଇଁ 'ଅନ୍-ଡିମାଣ୍ଡ ଏଲପିଜି ସିଲିଣ୍ଡର ଡେଲିଭରି' ସେବା ଆରମ୍ଭ କରାଯାଉଛି । ଏଣିକି ଗ୍ରାହକଙ୍କୁ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ବରଂ ସେମାନେ ଘରର ଅନ୍ୟ ଗ୍ରୋସରୀ ସାମଗ୍ରୀ ଭଳି ମାତ୍ର କିଛି ମିନିଟରେ ଏଲପିଜି ସିଲିଣ୍ଡର ଡେଲିଭରି ପାଇପାରିବେ ।

ଏଚ୍ପିସିଏଲ୍ ଏବଂ ସ୍ଵିଗି ମଧ୍ୟରେ ହୋଇଥିବା ଏହି ଡିଲ୍ କେବଳ ହୋମ୍-ଡେଲିଭରି ମଧ୍ୟରେ ସୀମିତ ନାହିଁ । ଏହି ପାର୍ଟନରଶିପ୍ ଏଚ୍ପିସିଏଲର ଏକ ସ୍ଵତନ୍ତ୍ର ଓ ଆଧୁନିକ ପ୍ରଡକ୍ଟର ଲଞ୍ଚିଂର ସାକ୍ଷୀ ମଧ୍ୟ ହୋଇଛି । ଏହି ଟାଇ-ଅପ୍ ଜରିଆରେ ଏଚ୍ପିସିଏଲର ନୂଆ ୧୦ କିଲୋଗ୍ରାମ ବିଶିଷ୍ଟ କମ୍ପୋଜିଟ୍ ଏଲପିଜି ସିଲିଣ୍ଡର 'HP Navya’ ପ୍ରଥମ ଥର ପାଇଁ ବଜାରରେ ପ୍ରବେଶ କରୁଛି । ଏହି ସିଲିଣ୍ଡର ପାରମ୍ପରିକ ସିଲିଣ୍ଡର ତୁଳନାରେ ଅଧିକ ହାଲୁକା ଏବଂ ସୁରକ୍ଷିତ ହେବ ।

ଗ୍ୟାସ୍ ସିଲିଣ୍ଡରର ଅନଲାଇନ୍ ଅର୍ଡର ସେବାକୁ ସାଧାରଣ ଲୋକ ଏବଂ ବିଶେଷ କରି ଯୁବପିଢ଼ିଙ୍କୁ ଧ୍ୟାନରେ ରଖି ଅତ୍ୟନ୍ତ ସହଜ କରାଯାଇଛି । ସ୍ଵିଗି ଇନଷ୍ଟାମାର୍ଟ ଆପରେ ଗ୍ରାହକଙ୍କ ପାଇଁ ୨ଟି ଅପ୍ସନ ରହିବ । ଆପଣ ଇନଷ୍ଟାମାର୍ଟ ଆପକୁ ଯାଇ ନୂଆ ୧୦ କିଲୋଗ୍ରାମ ବିଶିଷ୍ଟ 'ଏଚ୍ପି ନବ୍ୟା' ସିଲିଣ୍ଡର ଅର୍ଡର କରିପାରିବେ । ଏହା ସହିତ ପୂର୍ବରୁ ଚାଲୁ ରହିଥିବା ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ସିଲିଣ୍ଡର ମଧ୍ୟ ଅର୍ଡର କରିପାରିବେ ।

ସବୁଠୁ ବଡ଼ କଥା ହେଉଛି ଯେ ଇନଷ୍ଟାମାର୍ଟରୁ ଗ୍ୟାସ୍ ସିଲିଣ୍ଡର ଅର୍ଡର କରିବା ପାଇଁ ଗ୍ରାହକଙ୍କ ପାଖରେ ପୂର୍ବରୁ କୌଣସି ଏଲପିଜି ଗ୍ୟାସ୍ କନେକ୍ସନ ଥିବା ବାଧ୍ୟତାମୂଳକ ନୁହେଁ । ଯେକୌଣସି ନୂଆ ୟୁଜର ଆପ୍ ଜରିଆରେ ଏହାକୁ ସହଜରେ ବୁକ୍ କରିପାରିବେ ।