ଭୁବନେଶ୍ୱର:ରାଜ୍ୟରେ ପୁଣି ସକ୍ରିୟ ହୋଇଛି ପାଣିପାଗ। ଗତକାଲିଠାରୁ ସୃଷ୍ଟି ହୋଇଥିବା ସକ୍ରିୟ ଘୂର୍ଣ୍ଣିବଳୟ ଶେଷରେ ଲଘୁଚାପର ରୂପ ନେଇଛି। ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା - ପଶ୍ଚିମବଙ୍ଗ ଉପକୂଳରେ ଏହି ଲଘୁଚାପ କ୍ଷେତ୍ର (Low Pressure Area) ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଛି।

ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଏହି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଗାମୀ ୨ ଦିନ ପର୍ଯ୍ୟନ୍ତ ବେଶ୍ ସକ୍ରିୟ ରହିବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଦେଇ ଧୀରେ ଧୀରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି।

ଏହି ଲଘୁଚାପ ପ୍ରଭାବରେ ଉପକୂଳ ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷ କରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ମଧ୍ୟ ବୃଦ୍ଧି ପାଇପାରେ।

ଲଘୁଚାପର ଗତିପଥକୁ ନଜରରେ ରଖି ଚାଷୀ ଏବଂ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି ମତ୍ସ୍ୟଜୀବୀମାନଙ୍କୁ ଆଗାମୀ ୨ ଦିନ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଲଘୁଚାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ଆଗକୁ ଏହା କେତେ ଘନୀଭୂତ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।