ନୂଆଦିଲ୍ଲୀ: ଆଜିର ସମାଜରେ ସମଲିଙ୍ଗୀ ସମ୍ପର୍କ ସ୍ବାଭାବିକ ହେବାରେ ଲାଗିଛି। ତଥାପି ଏହା ଅନେକ ଭାରତୀୟ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଛି। ଆଉ ଏହାରି ମଧ୍ୟରେ ଦୁଇ ଝିଅଙ୍କ ପ୍ରେମ କାହାଣୀକୁ ନେଇ ଏବେ ଖୁବ୍ ଚର୍ଚ୍ଚା। କାରଣ ଏହି ଦୁଇ ଝିଅ ନିଜ ପ୍ରେମକୁ ସାର୍ଥକ କରିବା ପାଇଁ ପରିବାରର ବିରୋଧ ସତ୍ତ୍ବେ ପରସ୍ପରକୁ କରିଛନ୍ତି ବିବାହ।

ଗଣମାଧ୍ୟମର ସୂଚନା ଅନୁସାରେ, ହରିୟାଣାର ଗୁରୁଗ୍ରାମ ଏବଂ ଝଜ୍ଜରର ଦୁଇ ଝିଅଙ୍କ ପ୍ରେମ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ। ୧୯ ଏବଂ ୨୦ ବର୍ଷ ବୟସରେ ସେମାନେ ସୋହନାର ଏକ ମନ୍ଦିରରେ କରିଛନ୍ତି ବିବାହ। ଦୁହେଁ ସାତ ବର୍ଷ ଧରି ବନ୍ଧୁ ଥିଲେ ଏବଂ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା।

ପ୍ରଥମେ ସେମାନେ ସେମାନଙ୍କ ପରିବାରକୁ ଏବିଷୟରେ ଜଣାଇଥିଲେ। ମାତ୍ର ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ସ୍ବୀକାର କରିନଥିଲେ। ଆଉ ପରସ୍ପରକୁ ଭୁଲିଯିବାକୁ ପରାମର୍ଶ ଦେଇଥିଲେ। ହେଲେ ରିବାରର ଅସ୍ୱୀକାର ସତ୍ତ୍ୱେ ଏହି ଦୁଇ ଝିଅ ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରରେ ପରସ୍ପରକୁ ବିବାହ କରିଥିଲେ। ଗୁରୁଗ୍ରାମର ଝିଅ ସ୍ତ୍ରୀର ଭୂମିକା ନିଭାଇଥିବା ବେଳେ, ଝଜ୍ଜରର ଝିଅ ସ୍ୱାମୀ ଭୂମିକା ଗ୍ରହଣ କରିଥିଲେ।

ବଡ଼ କଥା ହେଲା ମାତ୍ର ୧୦ ଦିନ ପୂର୍ବରୁ ଗୁରୁଗ୍ରାମର ଝିଅ ଜଣକ ନିଖୋଜ ହୋଇଯାଇଥିଲେ। ତାଙ୍କ ବାପା ଏକ ନିଖୋଜ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ। କିନ୍ତୁ ଏବେ ସେ ମିଳିବା ପରେ ତାଙ୍କ ବିବାହ କଥା ଜଣାଇଥିଲେ। ଉଭୟ ଝିଅ ଗୋଟିଏ ସ୍କୁଲରେ ପଢ଼ୁଥିଲେ ଏବଂ ସେମାନଙ୍କ ପରିବାର ଏହି ବିବାହକୁ ସାମାଜିକ ପରମ୍ପରା ବିରୁଦ୍ଧରେ ବୋଲି କହିଥିଲେ। ଯାହା ଫଳରେ ସେମାନେ ଏହି ସାହସିକ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ।

ହେଲିନମାଡି ଥାନା ଅଧିକାରୀ ମହେଶ କୁମାର କହିଛନ୍ତି, ଶନିବାର ଉଭୟଙ୍କୁ ପାଟୋଡିର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲ। କୋର୍ଟ ସୂଚନା ଦିଆଯାଇଥିଲା ଯେ, ସେମାନେ ଉଭୟ ପ୍ରାପ୍ତବୟସ୍କ ଏବଂ ଏକ ମନ୍ଦିରରେ ବିବାହ କରିଛନ୍ତି। ସେମାନଙ୍କ ପରିବାର ସେମାନଙ୍କୁ ଅନ୍ୟଥା ବୁଝାଇବାକୁ ଚେଷ୍ଟା କରିବା ସତ୍ତ୍ୱେ, ଝିଅମାନେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଘରକୁ ଫେରିବାକୁ ଚାହୁନାହାଁନ୍ତି।