ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତି କେଉଁଠି କେତେ ଅଛି ତା’ର ପୂରା ହିସାବ ଅଛି କି ନାହିଁ ସନ୍ଦେହ । ଓଡ଼ିଶା କିମ୍ବା ରାଜ୍ୟ ବାହାରେ ନୁହେଁ, ଏପରି କି ପାକିସ୍ତାନରେ ବି ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି । ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି । ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୈନିକ ସମାଜରେ ପ୍ରକାଶିକ ରିପୋର୍ଟ ଅନୁସାରେ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ନାମରେ ପ୍ରାୟ ୬୦ ହଜାର ଏକର ଜମି ଥିବା ନେଇ ଆମ ପାଖରେ ରେକର୍ଡ ଅଛି । ଏଥିରୁ ଅଧିକାଂଶ ଓଡ଼ିଶା ମଧ୍ୟରେ ରହିଛି । ଆଉ କିଛି ଜମି ଭାରତର ବିଭିନ୍ନ ରାଜ୍ୟ ଏବଂ ପାକିସ୍ତାନର ସିନ୍ଧପ୍ରଦେଶରେ ରହିଛି । ଦେଶ ଭିତରେ ଥିବା ଜମିର ସ୍ଥିତି ସମ୍ପର୍କରେ ପର୍ଯ୍ୟାୟକ୍ରମେ ଅନୁଧ୍ୟାନ କରାଯିବ । ଓଡ଼ିଶା ମଧ୍ୟରେ ଥିବା ସବୁ ଜମିକୁ ସୁରକ୍ଷିତ କରାଯିବା ସହ ଅନ୍ୟ ଜମିକୁ ଜବରଦଖଲମୁକ୍ତ କରାଯିବ ।

ରିପୋର୍ଟ ଅନୁସାରେ, ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ପର୍କରେ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ପକ୍ଷରୁ ଫେବ୍ରୁଆରୀରେ ନିର୍ଦେଶନାମା ଜାରି କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିର ଖତିୟାନ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ଆଇନ ମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଭିତରେ ଓ ବାହାରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତି ଚିହ୍ନଟ କରାଯାଉଥିବା ବେଳେ ବିଧିମତେ ଏହା ଉପରେ ସରକାରଙ୍କ ଦଖଲ ଆରମ୍ଭ ହେବ । ରାଜ୍ୟ ଏବଂ ରାଜ୍ୟ ବାହାରେ ମହାପ୍ରଭୁଙ୍କର ୬୦ ହଜାର ଏକର ଜମି ରହିଛି । ସେଥିମଧ୍ୟରୁ ଆମ ପାଖରେ ୩୨ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇସାରିଛି । ପ୍ରାୟ ୬ଟି ରାଜ୍ୟରେ ଶ୍ରୀମନ୍ଦିରର ପ୍ରାୟ ୪୦୦ ଏକର ଭୂ-ସମ୍ପତ୍ତି ରହିଛି । ଅନ୍ୟ ଜମିଗୁଡ଼ିକୁ ଚିହ୍ନଟ କରିବା ଲାଗି ପଦକ୍ଷେପ ନିଆଯାଉଛି ।