ବରଗଡ, ୨୭। ୦୭ : ଅଳଙ୍କାର ଚୋରି କରିବା ପାଇଁ ଆସି ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଚୋରି କରି ଚମ୍ପଟ୍ ମାରିଛନ୍ତି ଦୁବୃର୍ଭ। ବରଗଡ଼ ହାଟପଦା ରଥପଡ଼ିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ, ବରଗଡ଼ର ପ୍ରସିଦ୍ଧ ଏକାଦଶୀ ବାହୁଡ଼ା ଯାତ୍ରା ପରେ ରଥ ହାଟପଦା ରଥପଡ଼ିଆରେ ପହଞ୍ଚିଥିଲେ। ଦ୍ବାଦଶୀରେ ବାହୁଡା ଯାତ୍ରା ମେଳଣ ଥିବାରୁ ସମସ୍ତ ରଥ ହାଟପଦା ରଥପଡ଼ିଆରେ ଥିଲେ। ତ୍ରୟୋଦଶୀରେ ମେଳା ସରିବା ପରେ ରଥ ସ୍ବମନ୍ଦିରକୁ ବାହୁଡ଼ିବା ପରମ୍ପରା ରହିଛି। ସେହି କ୍ରମରେ ତଳିପଡ଼ା ନୃସିଂହମନ୍ଦିର, ସମଲେଇମନ୍ଦିର ପଡ଼ା ଓ କଲେଜ ରୋଡ଼ରୁ ଆସିଥିବା ରଥ ଶନିବାର ରାତିରେ ହାଟପଦାରେ ପହଞ୍ଚିଥିଲା। ରବିବାର ରଥମେଳଣ ଯାତ୍ରା ପାଇଁ ପ୍ରସ୍ତୁତି ଜାରି ରହିଥିବାବେଳେ କଲେଜ ରୋଡ ରଥରେ ରଥାରୂଢ଼ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପାଖରେ ପ୍ରାଚୀନ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଉଭାନ ହୋଇଯାଇଥିଲା I ମହାପ୍ରଭୁଙ୍କୁ ନ ପାଇ ପୂଜକ ଏବଂ ସେବକମାନେ ପାଟିତୁଣ୍ଡ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

ଏ ନେଇ କଲେଜରୋଡ୍ ରାଧାକୃଷ୍ଣ ମନ୍ଦିର କମିଟିର ସଦସ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଜଗନ୍ନାଥଙ୍କ ବିଗ୍ରହ ଉଦ୍ଧାର କରିବାକୁ ପୋଲିସ୍ ସିସିଟିଭି ଫୁଟେଜ୍ ଘାଣ୍ଟୁଛି । ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ।